Below header

ଏଥର ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ ସଂପର୍କିତ ସୂଚନା ପାଇପାରିବେ ଇ-ମେଲରେ, ଅଟୋମେଟେଡ୍‌ ଇ-ମେଲ ଆଲର୍ଟ ବ୍ୟବସ୍ଥା ଆରମ୍ଭ

କଟକ(କେନ୍ଯୁଜ୍): ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ ସଂପର୍କିତ ସୂଚନା ଇ-ମେଲ ମାଧ୍ୟମରେ ପାଇପାରିବେ ବିଭିନ୍ନ ସରକାରୀ ବିଭାଗ । ଏଥିପାଇଁ ଅଟୋମେଟେଡ୍‌ ଇ-ମେଲ ଆଲର୍ଟ ବ୍ୟବସ୍ଥା ନଭେମ୍ବର ୧ ରୁ ଆରମ୍ଭ କରାଯାଇଛି। ଏ ନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶନାମା ଆସିବା ମାତ୍ରେ ମାମଲାରେ ପକ୍ଷଭୁକ୍ତ ଥିବା ସଂପୃକ୍ତ ସରକାରୀ ବିଭାଗର ଇ-ମେଲକୁ ଏହା ପଠାଯିବ । କେସ୍‌ ଇନଫରମେସନ୍‌ ସିଷ୍ଟମ୍‌-ସିଆଇଏସ୍‌ରେ ପଞ୍ଜିକୃତ ସରକାରୀ ବିଭାଗ ଗୁଡ଼ିକ ଇ-ମେଲ ମାଧ୍ୟମରେ କୋର୍ଟଙ୍କ ନିର୍ଦ୍ଦେଶର କପି ପାଇପାରିବେ । ସିଆଇଏସ୍‌ରେ ସବୁ ସରକାରୀ ବିଭାଗର ମାଷ୍ଟର ଡାଟା ରଖାଯିବ ।

ବିଭିନ୍ନ ସରକାରୀ ବିଭାଗର ନୋଡାଲ ଅଫିସର, ଇ-ମେଲ ଆଇଡି ଓ ଅନ୍ୟାନ୍ୟ ତଥ୍ୟ ସଂଲଗ୍ନ କରିବା ସହିତ ଏ ସଂପର୍କିତ ତଥ୍ୟ ଅପଗ୍ରେଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ରାଜ୍ୟ ସରକାରଙ୍କ ସବୁ ବିଭାଗ ପାଇଁ ହାଇକୋର୍ଟରେ ମାମଲା ଗୁଡ଼ିକର ଇ-ଫାଇଲିଂ ନିୟମ ବାଧ୍ୟତାମୂଳକ କରାଯାଇଛି। ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଇ-ଫାଇଲିଂ ବ୍ୟବସ୍ଥା ଦ୍ୱାରା ମାମଲା ଦାୟାର କରିବେ । ଏହି ପ୍ରସଙ୍ଗରେ ସମସ୍ୟା ହେଲେ ହାଇକୋର୍ଟଙ୍କ ଇ-ଫାଇଲିଂ ଷ୍ଟେସନ୍‌ର ସହାୟତା ନିଆଯାଇପାରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

ଏହାସହ ପଢନ୍ତୁ: ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଆଦିତ୍ୟ କୁମାର ମହାପାତ୍ର

ସୂଚନା ଥାଉକି, ଗତକାଲି ଓଡିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଆଦିତ୍ୟ କୁମାର ମହାପାତ୍ର । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ତାଙ୍କୁ ଶପଥ କରାଇଥିଲେ । ଆଦିତ୍ୟ କୁମାର ମହାପାତ୍ରଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ କଲେଜିୟମ । ସୂଚନା ମୁତାବକ, କଟକ ସୁତାହାଟର ବାସିନ୍ଦା ଆଦିତ୍ୟ କୁମାର ମହାପାତ୍ର ରାଜ୍ୟର ସର୍ବବୃହତ ପବ୍ଲିକେସନ ହାଉସ ଗ୍ରନ୍ଥ ମନ୍ଦିର ପ୍ରକାଶକଙ୍କ ପରିବାର ସଦସ୍ୟ ଅଟନ୍ତି । ଶ୍ରୀଯୁକ୍ତ ମହାପାତ୍ରଙ୍କ ଜେଜେ ବାପା ଶ୍ରୀଧର ମହାପାତ୍ର ଗ୍ରନ୍ଥ ମନ୍ଦିରର ପ୍ରତିଷ୍ଠାତା ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.