Below header

ଉଭୟ ଶବଦାହ ଓ କବର ଋଷୀୟ ପରମ୍ପରା, କାମ ନଥିବା ଲୋକଙ୍କ ମୁଣ୍ଡକୁ ଆସେ ଖରାପ ଚିନ୍ତା: ରୁଷ ରାଷ୍ଟ୍ରଦୂତ

କେନ୍ୟୁଜ୍(ବ୍ୟୁରୋ): ଉଭୟ ଶବଦାହ ଓ କବର ଋଷୀୟ ପରମ୍ପରା। ଏହା କହିଛନ୍ତି ରୁଷ ରାଷ୍ଟ୍ରଦୂତ ଡେନିସ ଆଲିପୋଭ। ରାୟଗଡ଼ାରେ ଦୁଇ ମୃତ ରୁଷ ନାଗରିକଙ୍କ ଶବଦାହ କରାଯାଇଥିଲା। ଯାହାକୁ ନେଇ ଉଠିଥିଲା ବିବାଦ। ସାଂସଦ ମନୀଷ ତିୱାରୀ ପ୍ରଶ୍ନ କରିଥିଲେ, ଦୁଇ ଖ୍ରୀଷ୍ଟିଆନଙ୍କ ଶବକୁ କବର ଦିଆନଯାଇ କାହିଁକି ଶବଦାହ କରାଗଲା। ଆଗାଥା ଖ୍ରୀଷ୍ଟିଙ୍କ ଦ୍ୱାରା ସୃଷ୍ଟି ଏକ ଲୋକପ୍ରିୟ କାଳ୍ପନିକ ଡିଟେକ୍‌ଟିଭ ଚରିତ୍ର ହରକୁଲ ପାଓରୋଙ୍କ ଉକ୍ତିକୁ ନେଇ ମନୀଷ ତିୱାରୀ ଟ୍ଵିଟ୍‌ କରିଥିଲେ, ପୋଡ଼ା ଶରୀରରୁ କିଛି ମିଳେ ନାହିଁ ।

ଏହାର ଜବାବରେ ଡେନିସ ଆଲିପୋଭ କହିଛନ୍ତି, ହରକୁଲ ପାଓରୋ ପ୍ରେମୀଙ୍କୁ ଜାଣିବା ଦରକାର ରୁଷରେ ସମାନଭାବେ ରହିଛି ଉଭୟ ଶବବାଦ ଓ କବର ପରମ୍ପରା। କାମ ନଥିବା ଲୋକଙ୍କ ମୁଣ୍ଡକୁ ଖରାପ ଚିନ୍ତା ଆସିଥାଏ ବୋଲି କଡ଼ା ଜବାବ ଦେଇଛନ୍ତି ଡେନିସ ଆଲିପୋଭ। ଓଡ଼ିଶାରେ ଦୁଇ ରୁଷ ନାଗରିକଙ୍କ ମୃତ୍ୟୁ ଘଟଣାରେ ଭାରତୀୟ ଅଧିକାରୀଙ୍କ ତଦନ୍ତକୁ ପ୍ରଶଂସା କରିଛନ୍ତି ଡେନିସ ଆଲିପୋଭ। ପୂର୍ବରୁ କୋଲକାତାସ୍ଥିତି ରୁଷ କନୁସୁଲେଟ୍‌ ଜେନେରାଲ ତରଫରୁ କୁହାଯାଇଥିଲା, ମୃତ ପାଭେଲ୍‌ ଆଣ୍ଟୋଭ ଓ ବିଦୋନୋଭଙ୍କ ନିକଟ ସମ୍ପର୍କୀୟ ସ୍ପଷ୍ଟ ଭାବେ ଇଚ୍ଛା ପ୍ରକାଶ କରିଥିଲେ, ମର ଶରୀରକୁ ଶବଦାହ କରାଯାଇ ଚିତାଭସ୍ମକୁ ରୁଷ ଅଣାଯାଉ।

ଏପଟେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା । ତଦନ୍ତ ପାଇଁ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍‌ । ହୋଟେଲରେ ପହଞ୍ଚି ଛାନବିନ କରିଛନ୍ତି । ପାଭେଲ୍‌ ଆଣ୍ଟୋଭ ଓ ବିଦୋନୋଭ ରହିଥିବା ରୁମ୍‌ରେ ତଦନ୍ତ କରିବ ଟିମ । ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭଙ୍କ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଗଠନ କଲା ଦ୍ୱିତୀୟ ଟିମ୍‌ ।

ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଟିମ୍‌ ଗଠନ ହୋଇଛି । ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ଟିମ୍‌ ରାୟଗଡ଼ାରେ ପହଞ୍ଚିଛନ୍ତି । ସିଆଇଡି ଓ ସିବି ଟିମକୁ ସହାୟତା କରିବ ଏହି ଟିମ୍‌ । ଟିମ୍‌ରେ ଅଛନ୍ତି ଜଣେ ଇନିସପେକ୍ଟର, ଜଣେ ଏସଆଇ ଓ ଜଣେ ଏଏସଆଇ । ୨ ଜଣ ଫରେନ୍ସିକ ବିଶେଷଜ୍ଞ ଓ ଫଟୋଗ୍ରାଫର ଟିମ୍‌ରେ ଅଛନ୍ତି । ଘଟଣାସ୍ଥଳକୁ ଯିବା, ସାକ୍ଷୀ ମାନଙ୍କୁ ଯାଞ୍ଚ କରିବା, ସ୍ଥାନୀୟ ପୋଲିସ ଠାରୁ ପ୍ରମାଣ ସଂଗ୍ରହ କରିବା ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାୟିତ୍ୱ ତଦନ୍ତକାରୀ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.