Below header

ରାଜ୍ୟରେ ଚହଳ : ଓଲିଉଡ୍ ସୁପରହିଟ୍ ଯୋଡ଼ିରେ ଫାଟ, ଅନୁଭବଙ୍କ ନାଁରେ ବର୍ଷା କୋର୍ଟରେ କେସ୍ କଲେ କାହିଁକି ?

କଟକ (କେନ୍ୟୁଜ୍‌) : ଚହଳ ପଡ଼ିଛି ସାରା ଓଡ଼ିଶାରେ । ଓଲିଉଡ୍‌ର ସୁପର ହିଟ୍ ଯୋଡ଼ି ଅନୁଭବ ଓ ବର୍ଷାଙ୍କ ଭିତରେ ଫାଟ । ଆଲବମ୍‌ରୁ ସିନେମା ଯାଏ ଅନୁଭବଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି ଅନୁଭବଙ୍କର । ସେହିଭଳି ବର୍ଷା ବି ଛୋଟ ପରଦାରୁ ବଡ଼ ପରଦାକୁ ଆସି ନିଜର ଲକ୍ଷ ଲକ୍ଷ ଫ୍ୟାନ୍ ସୃଷ୍ଟି କରିଛନ୍ତି । ଦୁହିଁଙ୍କ ଯୋଡ଼ି ବଡ଼ ପରଦାରେ କମାଲ କରିଛି । ସେମାନଙ୍କ ନାଁ ଓ ଛବକୁ ପୋଷ୍ଟରରେ ଦେଖି ଲୋକେ ସିନେମା ହଲ୍ ଟିକେଟ୍ କାଉଣ୍ଟରରେ ଭିଡ଼ ଲଗାନ୍ତି । ଏହି ରିଲ୍ ଯୋଡ଼ି ପରେ ରିୟଲ ଲାଇଫ୍‌ରେ ଜୀବନସାଥୀ ପାଲଟି ଗଲେ । ହେଲେ କଣ ହେଲା କେଜାଣି ପ୍ରେମ ବିବାହର ଏତେ ବର୍ଷ ପରେ ଅଚାନକ ସୃଷ୍ଟି ହୋଇଛି ବିସ୍ଫୋରକ ସ୍ଥିତି । ସେମାନଙ୍କ ପ୍ରେମ ସମ୍ପର୍କର ଡୋର ଏବେ କୋର୍ଟ ହାତରେ ।

ଆଲବମ୍‌ରୁ ସିନେମା ଓ ଅଭିନେତାରୁ ନେତା ହେଲେ ଅନୁଭବ । କେନ୍ଦ୍ରାପଡ଼ାର ଲୋକସଭା ସାଂସଦ ଭାବେ ଜିତିଲେ । ନିର୍ବାଚନ ପ୍ରଚାର ବେଳେ ବର୍ଷା ବି ତାଙ୍କର ପୂରା ସାଥ୍ ଦେଇଥିଲେ । ହେଲେ ସେମାନଙ୍କ ଭିତରେ ତିକ୍ତତା ଏବେ ସାରା ରାଜ୍ୟକୁ ଚକିତ କରି ଦେଇଛି । ପ୍ରକୃତରେ ସେମାନଙ୍କ ଭିତରେ କଣ ଘଟିଛି, କାହିଁକି ଘଟିଛି, ତାକୁ ନେଇ ସମସ୍ତଙ୍କ ମନରେ ଏବେ ପ୍ରଶ୍ନ । ଗଣମାଧ୍ୟମରେ ଖବର ଆସିବା ପରେ ଆଜି ତାକୁ ନେଇ ସବୁଠି ଚର୍ଚ୍ଚା ।

ସୂଚନା ଅନୁସାରେ କେସ୍ ନମ୍ବର ODCUO5-003933-2020  । ଆବେଦନକାରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷା କେସ୍ ଫାଇଲ୍ କରିଛନ୍ତି ନିଜ ସ୍ୱାମୀ ଅନୁଭବ ମହାନ୍ତିଙ୍କ ନାଁରେ । କଟକ ଏସ୍‌ଡିଜେଏମ୍ କୋର୍ଟ-୧ରେ ଗତ ଅଗଷ୍ଟ ୭ ତାରିଖରେ ଏହି ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ଅଛି ଆସନ୍ତା ୭ ତାରିଖ ସୋମବାର ଦିନ । ମହିଳାଙ୍କ ବିରୋଧରେ ଘରୋଇ ହିଂସା ଆଇନ୍ ୨୦୦୫ ଅନୁସାରେ ଏହି ମାମଲା ରୁଜୁ ହୋଇଛି । ଆର. କେ. ରଥ ବର୍ଷାଙ୍କ ପକ୍ଷରୁ କେସ୍ ଲଢ଼ୁଛନ୍ତି ।
ଏ ନେଇ ଅନୁଭବ କହିଛନ୍ତି ଯେ ତାଙ୍କୁ କୌଣସି ନୋଟିସ୍ ମିଳି ନାହିଁ କି ସେ କିଛି ବି ଜାଣି ନାହାନ୍ତି । ଅନ୍ୟପକ୍ଷରେ ବର୍ଷା କହିଛନ୍ତି, ଗଣମାଧ୍ୟମକୁ କହିବି ହେଲେ ଏବେ ନୁହେଁ ।

ତେବେ ବର୍ଷାଙ୍କର ଏହି ପ୍ରତିକ୍ରିୟା ପରେ ଚର୍ଚ୍ଚା ଆହୁରି ଜୋର୍ ଧରିଛି । କଣ ବିସ୍ଫୋରଣ ଘଟାଇବେ ବର୍ଷା ? ଅନୁଭବଙ୍କ ସହ ସମ୍ପର୍କକୁ ନେଇ କି ବୟାନ୍ ରଖିବେ ? ଉଭୟଙ୍କ ଯୋଡ଼ିକୁ କଣ ଆଉ କେବେ ପରଦାରେ ଦେଖିବାକୁ ମିଳିବନି ? କଣ ହେବ ଉଭୟଙ୍କ ସିନେ କ୍ୟାରିୟର ? କଣ ହେବ ଅନୁଭବଙ୍କ ପଲିଟିକାଲ କ୍ୟାରିୟର ? ଦି ଏଣ୍ଡ ନା କିଛି ସମାଧାର ବାଟ ବାହାରିବ ? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନ ଭିତରେ ଉଙ୍କି ମାରୁଛି । ତାକୁ ନେଇ ଚାଲିଛି ଚର୍ଚ୍ଚା ଓ ଆଲୋଚନା ।

ଏଇ କୋଭିଡ୍ ପରିସ୍ଥିତିରେ ଅଭିନେତାମାନଙ୍କୁ ନେଇ ଅନେକ ଦୁଃଖଦ ଘଟଣା ଘଟିଯାଇଛି । ତା ଭିତରେ ଏବେ ଅନୁଭବ ଓ ବର୍ଷାଙ୍କ ତିକ୍ତତା ଖବର ହଇଚଇ ସୃଷ୍ଟି କରିଛି । ଦେଖିବାକୁ ବାକି ରହିଲା ପ୍ରେମରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କର ଡୋରି ଅତୁଟ ରହୁଛି ନା କୋର୍ଟରେ ଛିଡ଼ି ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.