ଆକାଶରୁ ବର୍ଷୁଛି ନିଆଁ ! ସୋନପୁରରେ ସର୍ବାଧିକ ତାପମାତ୍ରା ୪୩.୮ ଡିଗ୍ରୀ ସେଲସିୟସ ରେକର୍ଡ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରରେ ଅସମ୍ଭାଳ ତାତି। ଆକାଶରୁ ଅଗ୍ନି ବର୍ଷା ହେଉଛି। କ୍ରମାଗତ ଭାବେ ତୃତୀୟ ଦିନରେ ଭୁବନେଶ୍ବରରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଆଜି ଅପରାହ୍ନ ୨ଟା ୩୦ରେ ଭୁବନେଶ୍ବରରେ ରାଜ୍ୟର ସର୍ବୋଚ୍ଚ ୪୩ ଡିଗ୍ରି ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୩.୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

weather

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ସୂଚନା ଅନୁସାରେ ଆଜି ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ, ସମ୍ବଲପୁରରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୮ ଡିଗ୍ରୀ, ହୀରାକୁଦରେ ୪୦ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ବାଲେଶ୍ୱରରେ ୩୮ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୧.୮ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୧.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସାରା ରାଜ୍ୟରେ ଅଗ୍ନିବର୍ଷା ଯୋଗୁ ରାସ୍ତାଘାଟରେ ବୁଲା ଗାଈଗୋରୁଙ୍କୁ ଦେଖିବାକୁ ମିଳିନଥିଲା । ମଧ୍ୟାହ୍ନ ବେଳକୁ ଖରା ଏମିତି ପ୍ରଚଣ୍ଡ ହୋଇଯାଇଥିଲା ଯେ ବାହାରକୁ ଚାହିଁବା ମୁସ୍କିଲ ହୋଇପଡୁଛି । ସେହିପରି ଗତକାଲି ତତଲା ପବନ ଯୋଗୁଁ ସମସ୍ତେ ଅଣନିଃଶ୍ବାସୀ ହୋଇପଡ଼ିଥିଲେ । ଗରମ ପବନ ବହିବାରୁ ତାତି ଅସମ୍ଭାଳ ହୋଇପଡ଼ୁଛି । ତେଣୁ ମଧ୍ୟାହ୍ନ ସୁଦ୍ଧା ରାଜଧାନୀର ସବୁ ରାଜରାସ୍ତା ଏକପ୍ରକାର ଶୂନ୍‌ଶାନ୍‌ ହୋଇଯାଉଛି ।