Below header

ହେବ କି ମନ୍ତ୍ରିମଣ୍ଡଳ ଅଦଳବଦଳ? ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ

ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସୂଚନା । ଏକ ଘଣ୍ଟା ତଳେ ଇସ୍ତଫା ପତ୍ର ପଠାଇ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବରୁ ସବୁ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେନ୍ୟୁଜ୍(ବ୍ୟୁରୋ): ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ବ୍ୟକ୍ତିଗତ କାରଣରୁ ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ବିକ୍ରମ କେଶରୀ ଆରୁଖ। ବାଚସ୍ପତି ଭାବେ ନିଷ୍ଠାର ସହ ଦାୟିତ୍ୱ ତୁଲାଇଛି। ମୁଖ୍ୟମନ୍ତ୍ରୀ ମୋତେ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ସୂଚାରୁ ରୂପେ ତୁଲାଇବି ବୋଲି ପ୍ରେସମିଟ୍‌ ଜରିଆରେ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ଇସ୍ତଫାପତ୍ରକୁ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ ପଠାଇଥିବା ସେ କହିଛନ୍ତି। ବର୍ଷକ ପୂର୍ବେ ୨୦୨୨ ଜୁନ ୧୩ ତାରିଖରେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଆଗାମୀ ଦିନରେ ରାଜ୍ୟ ସରକାରରେ ତାଙ୍କୁ ଏକ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ବାଚସ୍ପତି ବିକ୍ରମ କେଶରୀ ଆରୁଖ ୬ ଥରର ବିଧାୟକ।  ୧୯୯୫ରୁ ନିୟମିତ ଭଞ୍ଜନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି। ୧୯୯୫ରେ ଜନତା ଦଳରୁ ପ୍ରଥମ ଥର ବିଧାୟକ ହୋଇଥିଲେ। ଏହାପରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କ୍ରମାଗତ ବିଧାୟକ ହୋଇଛନ୍ତି। ୨୦୦୯ରେ ପ୍ରଥମ ଥର ମନ୍ତ୍ରୀ ହୋଇଥିଲେ। ୨୦୦୯ରୁ ୨୦୧୪ ଯାଏ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ୨୦୦୯ରୁ ୨୦୧୨ ଯାଏ ଆଇନ ମନ୍ତ୍ରୀ, ୨୦୧୨ରୁ ୨୦୧୪ ଯାଏ ସମବାୟ ମନ୍ତ୍ରୀ ଥିଲେ। ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ। ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର, ସୂଚାନା ଓ ଲୋକସମ୍ପର୍କ, ଗ୍ରାମ୍ୟ ଉନ୍ନୟନ, ସାଧାରଣ ଉଦ୍ୟୋଗ ଭଳି ବିଭାଗର ମନ୍ତ୍ରୀ ଥିଲେ ବିକ୍ରମ କେଶରୀ ଆରୁଖ। ୨୦୨୨ରେ ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ସେ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.