ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ BJP

ଭୁବନେଶ୍ବର : ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭାଗ ନେଇଥିଲେ ୨୧ଟି ଲୋକସଭା କ୍ଷେତ୍ରର ପ୍ରଭାରୀ, କେନ୍ଦ୍ରମନ୍ତ୍ରୀ ଓ ଦଳର ଛାମୁଆ ନେତା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟାସ୍କ ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି । ଜୁଲାଇ ୧ରେ ଶାହା ଓଡ଼ିଶା ଗସ୍ତରେ ଆସି ଟାସ୍କ ଦେଇଥିଲେ । ଏହି ଟାସ୍କର ୭୦ ପ୍ରତିଶତ ସଂପୂର୍ଣ୍ଣ ହୋଇଥିବା ଦଳୀୟ ନେତା ଏବଂ କର୍ମୀ କହିଛନ୍ତି । ଏନେଇ ଆସନ୍ତା ୧୮ ତାରିଖରେ ବିଜେପି ଜାତୀୟ କାର୍ୟ୍ୟକାରିଣୀରେ ଦଳୀୟ ନେତା ରିପୋର୍ଟ ପ୍ରଦାନ କରିବେ । ବୈଠକରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଦଳ ଅଭିଯୋଗ କରିଛି, ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ ଲାଗୁ କରାଯାଉନାହିଁ । କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାକୁ ବିଜେଡି ସହିପାରୁନି । ଏହା ବିରୋଧରେ ଆଗାମୀ ଦିନରେ ଗାଁଗାଁରେ ଆନ୍ଦୋଳନ କରିବାକୁ ସ୍ଥିର ହୋଇଛି ।

ସେପଟେ ବିଜେପି ଅଭିଯୋଗର ବିଜେଡି ଜବାବ ରଖିଛି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିକାଶକୁ ନେଇ ବିଜେଡି ରାଜନୀତି କରେନାହିଁ । ଯେକୌଣସି ଯୋଜନା ହେଉ, ତା’ର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ବିଜୁ ପକ୍କାଘର ଯୋଜନାରେ ସୁଫଳ ପହ଼ଞ୍ଚାଇଛୁ । ହେଲେ ଉଜ୍ଜ୍ୱଳାର ସୁଫଳ ପହଞ୍ଚିନାହିଁ ।

ବୁଥ୍‌ କମିଟିକୁ କ୍ରିୟାଶୀଳ କରିବା, ସଂପର୍କରୁ ସମର୍ଥନ କାର୍ୟ୍ୟକ୍ରମକୁ ଆଗେଇନେବା, ଲୋକଙ୍କ ସହ ସଂପର୍କ ଯୋଡ଼ିବା, ସ୍ଥାନୀୟ ପ୍ରସଙ୍ଗ ନେଇ ଆନ୍ଦୋଳନ ଓ ଭୋଟରଙ୍କ ପାଖରେ କେନ୍ଦ୍ରୀୟ ଯୋଜନା ପହଞ୍ଚି କି ନାହିଁ, ସେ ସଂପର୍କରେ ଅମିତ ଶାହ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ରିପୋର୍ଟ ମାଗିଛନ୍ତି ।

Leave A Reply

Your email address will not be published.