Below header

ବିଜେପି ଏମ୍‌ପିକୁ ବିଜେଡି ଏମ୍‌ଏଲଏ : କିଏ ଜିତିବ ବିଏମସିର ସମ୍ମାନଜନକ ମେୟର ପଦ ? ରଣନୀତି ପ୍ରସ୍ତୁତିରେ ଦୁଇ ଦଳ

ଭୁବନେଶ୍ୱର : ସାଧାରଣ ଓ ବିଧାନସଭା ନିର୍ବାଚନ ସରିଥିବା ବେଳେ ଆଗକୁ ଆସୁଛି ପୌର ନିର୍ବାଚନ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ବିଜେଡି ଓ ବିଜେପି । ଭୁବନେଶ୍ୱର ମହାନଗର ନିଗମ-ବିଏମସିକୁ ଦଖଲ ପାଇଁ ଆରମ୍ଭ ହୋଇଛି କସରତ । ବିଏମସିର ସମ୍ମାନଜନକ ମେୟର ପଦ ଓ ନିଗମକୁ କିଏ କବ୍‌ଜା କରିବ ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ବିଜେପି ସବୁ ଓ୍ଵାର୍ଡରେ ଭଲ କର୍ପୋରେଟର ପ୍ରାର୍ଥୀ ଦେବ । ଏଥର ଦଳ ବାଜିମାତ କରିବ ।

ବିଜେଡି ବି ବିଏମସି ପାଇଁ ଆରମ୍ଭ କରିଛି କସରତ । ଭୁବନେଶ୍ୱର ଲୋକସଭା ଆସନ ନିର୍ବାଚନରେ ଦଳ ହାରିଥିଲେ ମଧ୍ୟ ରାଜଧାନୀର ତିନିଟି ଯାକ ବିଧାନସଭା କ୍ଷେତ୍ରରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ମହାନଗର ନିଗମକୁ ପୁଣି ହାତେଇବା ପାଇଁ ଦଳ ଯୋଜନା କରିଛି । ଅରୁପ ପଟ୍ଟନାୟକ ହାରିଥିଲେ ମଧ୍ୟ ବିଭିନ୍ନ ସଭାସମିତି ମାଧ୍ୟମରେ ଲୋକସଂପର୍କ ଅଭିଯାନ ଚଳାଇଛନ୍ତି ।

ଏଥର ଭୁବନେଶ୍ୱର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଭୋଟରମାନେ କର୍ପୋରେଟରଙ୍କ ଭଳି ମେୟର ଓ ଡେପୁଟି ମେୟର ପଦ ପାଇଁ ପ୍ରାର୍ଥୀଙ୍କୁ ସିଧାସଳଖ ଭୋଟ ଦେବେ ।

ରାଜ୍ୟରେ ବର୍ତ୍ତମାନ ପୌରପାଳିକା ଗୁଡିକରେ ଦାୟିତ୍ୱରେ ଅଛନ୍ତି ପ୍ରଶାସନିକ ଅଧିକାରୀ। ପୌର ପାଳିକାରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୬-୭ ମାସ ପୂର୍ବରୁ ସରି ଯାଇଛି। ଏବେ ଅପେକ୍ଷା କେବେ ହେବ ପୌର ନିର୍ବାଚନ। ଏଥର ମେୟର, ପୌରାଧ୍ୟକ୍ଷ ଓ ଏନ୍‌ଏସି ଅଧ୍ୟକ୍ଷ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବ। ଏଥିପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ପୌରପାଳିକ ସମ୍ପର୍କିତ ବିଲ୍‌ ସଂଶୋଧନ କରାଯାଇଥିଲା। ପୂର୍ବରୁ କର୍ପୋରେଟର ଓ କାଉନସିଲରମାନେ ମେୟର ଓ ଅଧ୍ୟକ୍ଷ ନିର୍ବାଚନ କରୁଥିଲେ। କିନ୍ତୁ ଅନେକ ସମୟରେ ଗୋଟିଏ ଦଳରୁ ଠିଆ ହୋଇ, ନିର୍ବାଚନ ବେଳେ ଅନ୍ୟ ପାର୍ଟିର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଉଥିଲେ। ଏପରି ଘଟଣା ରୋକିବାକୁ ନିୟମରେ ସଂଶୋଧନ କରାଯାଇଛି।

ରାଜ୍ୟରେ ୧୧୪ଟି ପୌରା ସଂସ୍ଥା ରହିଛି। ଗତ ବର୍ଷ ସେପ୍ଟେମ୍ବର ୩୦ରେ ୬୫ଟି ପୌର ସଂସ୍ଥାର କାର୍ଯ୍ୟକାଳ ସରିଥିଲା। ଡିସେମ୍ବର ୪ ସୁଦ୍ଧା ସରିଥିଲା ଆଉ ୨୦ଟି ପୌର ସଂସ୍ଥାର କାର୍ଯ୍ୟକାଳ। କିନ୍ତୁ ଆଇନଗତ ସମସ୍ୟା ଥିବାରୁ ନିର୍ବାଚନ ହୋଇ ପାରିଲା ନାହିଁ। ରାଜ୍ୟ ସରକାର ପୌର ପାଳିକା ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ସେଥିରୁ ୫୫ ପ୍ରତିଶତ ପୌରପାଳିକାରେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ଥିଲା। ଏହାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ୨୦୧୮ ଏପ୍ରିଲ ୧୮ର ରାୟରେ ହାଇକୋର୍ଟ କହିଥିଲେ, ଏସ୍‌ସି-ଏସ୍‌ଟି ଓ ଓବିସି ନେଇ ଥିବା ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇ ପାରିବ ନାହିଁ। ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟ ଗତବର୍ଷ ସେପ୍ଟେମ୍ବରରେ ରାଜ୍ୟ ସରକାରଙ୍କ ଆବେଦନ ଖାରଜ କରିଥିଲେ। ଏହି ପ୍ରକ୍ରିୟା ଭିତରେ ବିଳମ୍ବ ହୋଇଥିଲା ପୌର ନିର୍ବାଚନ।

ଏବେ ଆଗକୁ ପୌର ନିର୍ବାଚନ ହେବ। ବର୍ତ୍ତମାନ ୱାର୍ଡଗୁଡିକର ସୀମା ପୁନଃ ନିର୍ଦ୍ଧାରଣ କାମ ଜାରି ରହିଛି। ଗତ ଜାନୁଆରୀରୁ କାମ ଆରମ୍ଭ ହୋଇ ସାରିଛି। ଏହି କାମ ସରିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.