ଖୁବ ଶୀଘ୍ର ହୋଇପାରେ IAS ଓ IPS ସ୍ତରରେ ଅଦଳବଦଳ, ଡିଜି ପାହ୍ୟାକୁ ପଦୋନ୍ନତି ପାଇ ପାରନ୍ତି କମିଶନର ସତ୍ୟଜିତ୍‌ ମହାନ୍ତି

ଭୁବନେଶ୍ବର : ସରିଛି ନିର୍ବାଚନ ପ୍ରକ୍ରିୟା । ଆରମ୍ଭ ହୋଇ ସାରିଛି ସରକାରୀ କାମ । ସାଧାରଣତଃ ନିର୍ବାଚନ ପରେ, ଆଇଏଏସ ଓ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୁଏ। ତେଣୁ ଅନୁମାନ କରାଯାଉଛି ଖୁବ ଶୀଘ୍ର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇପାରେ। ନିର୍ବାଚନ ସରିଥିବାରୁ, ନିର୍ବାଚନ ଦାୟିତ୍ୱରେ ଥିବା ବିଭିନ୍ନ ଅଧିକାରୀ ସରକାରୀ ପଦକୁ ଫେରି ଆସନ୍ତି। ତେଣୁ ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ସୁରେନ୍ଦ୍ର କୁମାର ଏବେ ସରକାରୀ ବିଭାଗ ଦାୟିତ୍ୱରେ ରହିପାରନ୍ତି ।

ବର୍ତ୍ତମାନ ଗୃହ ସଚିବ ଓ ଉନ୍ନୟନ କମିଶନର ଦୁଇଟି ଦାୟିତ୍ୱରେ ଅଛନ୍ତି ଅସିତ ତ୍ରିପାଠୀ। ଜଣେ ଅଧିକାରୀ ଦୁଇଟି ଦାୟିତ୍ୱରେ ଥିବାରୁ ଏହି ସ୍ଥାନରେ କିଛି ପରିବର୍ତ୍ତନ ଅନୁମାନ କରାଯାଉଛି। ଏହାଛଡ଼ା ଯେଉଁ ସଚିବମାନେ ୩ରୁ ୪ ବର୍ଷ ହେବ ଗୋଟିଏ ପଦବୀରେ ଅଛନ୍ତି ସେମାନଙ୍କ ବିଭାଗ ମଧ୍ୟ ବଦଳିପାରେ। ଖଣି ସଚିବ ରାଜକୁମାର ଶର୍ମା, ଜଳ ସେଚନ ସଚିବ ପ୍ରଦୀପ କୁମାର ଜେନା, ଗୃହ ଓ ନଗର ଉନ୍ନୟନ ସଚିବ ଜି ମାଥିଭଥନନ, ଗ୍ରୀଡକୋ ସିଏମ୍‌ଡି ତଥା ଶକ୍ତି ସଚିବ ହେମନ୍ତ ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିପାରେ।

ସେପଟେ ଆଇପିଏସ ସ୍ତରରେ ମଧ୍ୟ ଛୋଟ ଧରଣ ଅଦଳବଦଳ ସମ୍ଭାବନା ରହିଛି। ନିକଟରେ ଅବସର ନେଇଛନ୍ତି ଡିଜି ପାହ୍ୟାର ଅଧିକାରୀ, ଓଏସ୍‌ଆରଟିସିର ଅଧ୍ୟକ୍ଷ ଓ ଏମ୍‌ଡି ଥିବା କେ ବି ସିଂହ। ତାଙ୍କ ସ୍ଥାନରେ ଜଣକୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିବ। ବରିଷ୍ଠତା ଭିତିରେ ବର୍ତ୍ତମାନର କମିଶନର ସତ୍ୟଜିତ୍‌ ମହାନ୍ତିଙ୍କୁ ପଦୋନ୍ନତି ମିଳିପାରେ। ଯଦି ତାଙ୍କର ପଦୋନ୍ନତି ହୁଏ ତେବେ ଟ୍ଵିନ୍‌ ସିଟିରେ ନୂଆ କମିଶନରଙ୍କୁ ନିଯୁକ୍ତି ମିଳିପାରେ। ଖୁବଶୀଘ୍ର ଏହି ଅଦଳବଦଳ ପ୍ରକ୍ରିୟା ହେବ ବୋଲି ଚର୍ଚ୍ଚା ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.