ଭୂମିକମ୍ପ ଝଟ୍କାରେ ଥରିଲା ନାଗପୁର, ରିକ୍ଟର ସ୍କେଲରେ ତୀବ୍ରତା ୨.୭
ମହାରାଷ୍ଟ୍ରରେ ଭୂମିକମ୍ପ । ରାଜ୍ୟର ନାଗପୁର ଅଞ୍ଚଳରେ ହାଲୁକା ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ନାଗପୁର ଆଞ୍ଚଳିକ ପାଣିପାଗ ବିଭାଗ ଦ୍ୱାରା ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ନ ପ୍ରାୟ ୨ଟା ୪୮ ମିନିଟ୍ରେ ଭୂମିକମ୍ପର ହାଲୁକା କମ୍ପନ ଅନୁଭୂତ ହୋଇଥିଲା ।

ମହାରାଷ୍ଟ୍ରରେ ଭୂମିକମ୍ପ । ରାଜ୍ୟର ନାଗପୁର ଅଞ୍ଚଳରେ ହାଲୁକା ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ନାଗପୁର ଆଞ୍ଚଳିକ ପାଣିପାଗ ବିଭାଗ ଦ୍ୱାରା ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ନ ପ୍ରାୟ ୨ଟା ୪୮ ମିନିଟ୍ରେ ଭୂମିକମ୍ପର ହାଲୁକା କମ୍ପନ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ବୋଲି କୁହାଯାଉଛି ।
ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ନାଗପୁର ଜିଲ୍ଲାର ଉମରେଡ୍ ଗ୍ରାମରେ ବୋଲି କୁହାଯାଉଛି । ଭୂମିକମ୍ପ ହେବା କ୍ଷଣି ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଥିଲେ । ଏହା ପୂର୍ବରୁ ମଧ୍ୟ ମେ’ ୩ରେ ନାଗପୁରରେ ଭୂମିକମ୍ପର ହାଲୁକା ଝଟ୍କା ଅନୁଭବ କରାଯାଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୫ ମପା ଯାଇଥିଲା । ଦୁଇ ଦିନ ପରେ ଅର୍ଥାତ୍ ଆଜି ମେ’ ୫ରେ ପୁଣି ଥରେ ଏଠାରେ ନାଗପୁର ମାଟି ଥରି ଉଠିଛି ।
ଚଳିତ ବର୍ଷ ମାର୍ଚ୍ଚ ୨୧ରେ ମହାରାଷ୍ଟ୍ରର ହିଙ୍ଗୋଲିରେ ସକାଳ ୬ଟା ୮ ମିନିଟ୍ରେ ଏକ ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୫ । ପୁଣି ଏହାର କିଛି ସମୟ ପରେ ଅର୍ଥାତ୍ ୧୧ ମିନିଟ୍ ବ୍ୟବଧାନ ପରେ ଆଉ ଏକ ଝଟ୍କା ଅନୁଭବ କରାଯାଇଥିଲା । ଦ୍ୱିତୀୟ ଥର ଅନୁଭୂତ ଝଟ୍କା ୩.୬ ତୀବ୍ରତାର ଥିଲା । ଏହି ସମୟରେ ଲୋକମାନେ ଘର ଏବଂ ଅଫିସ୍ରୁ ଦୌଡ଼ାଦୌଡ଼ି ହୋଇ ବାହାରକୁ ଚାଲି ଆସିଥିଲେ । ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ସଞ୍ଚାର ହୋଇଯାଇଥିଲା ।
ଏହିପରି ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ମଧ୍ୟ ମାର୍ଚ୍ଚ ୨୧ରେ ଭୂମିକମ୍ପ ଆସିଥିଲା । ସକାଳ ୬ଟା ବେଳେ ୪.୨ ତୀବ୍ରତାର ଝଟ୍କା ଅନୁଭବ କରାଯାଇଥିଲା । କହି ରଖୁଛୁ ଯେ ୨୦୨୨ ପର ଠାରୁ ମୁମ୍ବାଇରେ ୧୦୦ କିଲୋମିଟର (୬୩ ମାଇଲ) ଦୂରତା ଭିତରେ ୩.୮ ତୀବ୍ରତା ପର୍ଯ୍ୟନ୍ତ ୧୨ଟି ଭୂମିକମ୍ପ ଅନୁଭୂତ ହୋଇଛି ।