ଗୃହମନ୍ତ୍ରୀଙ୍କ ନିକଟରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରରେ ପୂର୍ବାଞ୍ଚଳ ପରିଷଦର ବୈଠକ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ତେବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଯୋଗଦେଇନାହାନ୍ତି । ତାଙ୍କ ବଦଳରେ ଅର୍ଥମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହମନ୍ତ୍ରୀଙ୍କ ପାଖରେ ରଖିଛନ୍ତି । ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଲଗାତର ରହିଥିବାରୁ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିତ୍ତିଭୁମି ବିକାଶ କ୍ଷେତ୍ରରେ ଓଡ଼ିଶା ଭଳି ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ପାଇଁ ସ୍ପେଶାଲ ଇକୋନୋମିକ୍‌ ଘୋଷଣା କରିବାକୁ ଦାବି କରିଛି ଓଡ଼ିଶା । ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ରାଜ୍ୟ ଗୁଡିକୁ ଦୁଇଗୁଣା ଅର୍ଥ ଅନୁଦାନ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Amit-shah-Naveenପୂର୍ବାଞ୍ଚଳ ପରିଷଦରେ ଥିବା ଏହି ୪ ରାଜ୍ୟ ଦେଶର ଖଣିଜ ସମ୍ପତ୍ତିରେ ଅଧିକ ଅବଦାନ ଥିବାରୁ ଅଧିକ ଅନୁଦାନ ଦେବାକୁ ଗୃହମନ୍ତ୍ରୀଙ୍କ ପାଖରେ ଦାବି ରଖିଛନ୍ତି ନବୀନ । ୨୦୧୨ ଠାରୁ କୋଇଲା ରୟାଲିଟି ସଂଶୋଧନ ହୋଇନାହିଁ । କେନ୍ଦ୍ର ସରକାର ତୁରନ୍ତ ଏହା ଉପରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ସେହିଭଳି କ୍ଲିନ ଏନର୍ଜୀ ସେସ୍‌ ଉପରେ କେନ୍ଦ୍ର ନିଷ୍ପତ୍ତି ନେଉ । ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ହୋ, ଭୂମିଜ, ଓ ମୁଣ୍ଡାରୀ ଭାଷାକୁ ସାମିଲ କରିବାକୁ ଦାବି କରିଛନ୍ତି ନବୀନ । ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣାରେ ସବସିଡି ନଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହ ମାଗଣା ଜମି ଯୋଗାଉଥିଲେ ବି କାମ ଆଗେଇ ପାରୁନାହିଁ । ଏସବୁ ପ୍ରସଙ୍ଗ ପରିଷଦ ବୈଠକରେ ଉଠାଇଛନ୍ତି ନବୀନ । ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସେବା ଓ ରେଳ ସଡ଼କ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇଗୁଣା କରିବାକୁ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.