Below header

ଆଇଏଏସ୍‌ଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ କହିଲେ; ଲୋକଙ୍କ ସମସ୍ୟା ବୁଝ, ଶୀଘ୍ର ସମାଧାନ କର

ଜିଲ୍ଲାପାଳ ସମ୍ମିଳନୀରେ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର (କେନ୍ୟୁଜ): ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର ଲୋକଙ୍କ ସମସ୍ୟା ବୁଝ, ତ୍ୱରିତ ସମାଧାନ କର । ଦୁଇ ଦିନିଆ ଆଇଏଏସ୍‌ ସମ୍ମିଳନୀକୁ ଉଦଘାଟନ କରି ଏହି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଆହ୍ଵାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟରେ ଶେଷ ହେବା ଉଚିତ । ଜନକଲ୍ୟାଣକାରୀ ଯୋଜନାର ଲାଭ ପ୍ରକୃତ ହିତାଧିକାରୀଙ୍କୁ ମିଳିବା ଜରୁରୀ । ଜିଲ୍ଲାମାନଙ୍କ ମଧ୍ୟରେ ଲକ୍ଷ୍ୟ ହାସଲ ନେଇ ସୁସ୍ଥ ପ୍ରତିଯୋଗିତା ହେବା ଦରକାର ।

5T ଓ ମୋ ସରକାର ଅଭିଯାନ ପ୍ରଶାସନରେ ସ୍ୱଚ୍ଛତା ଆଣିଛି । ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ନିକଟରେ ପହଞ୍ଚନ୍ତୁ । ଲୋକଙ୍କ ସମସ୍ୟା ବୁଝି ତୁରନ୍ତ ସମାଧାନ ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ହେଉଛି ଖାଦ୍ୟ ଉତ୍ପାଦନରେ ବଳକା ରାଜ୍ୟ । ଗ୍ରାମାଞ୍ଚଳରେ କୃଷି ଓ ଏ ସଂପର୍କିତ କ୍ଷେତ୍ରରେ ଅଧିକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ଯାନ୍ତ୍ରିକ କୃଷି, ବିବିଧ ଫସଲ ଚାଷ, ଉଦ୍ୟାନ କୃଷି ଓ ଫୁଲ ଚାଷ, ଗୋପାଳନ ଓ ମତ୍ସ୍ୟ ଚାଷ ଉପରେ ଅଧିକ ଫୋକ୍‌ସ କରାଯିବା ଦରକାର । ରାଜ୍ୟ ସରକାରଙ୍କ ମିଲେଟ ମିଶନକୁ ପୋଷଣ ପାଇଁ ଜାତୀୟ ସ୍ତରରେ ଗ୍ରହଣ କରାଯାଇଛି । ରାଜ୍ୟର ଆର୍ଥିକ ବିକାଶରେ ଷ୍ଟାର୍ଟ-ଅପ୍‌ର ପ୍ରମୁଖ ଭୂମିକା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳା ସଶକ୍ତୀକରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ମିଶନ ଶକ୍ତି ଗୋଷ୍ଠୀଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ଭାବେ ଚାହୁଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କୋରାପୁଟ ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଉଚ୍ଚ ପ୍ରଶଂସା କରିଛନ୍ତି । ସାରା ରାଜ୍ୟରେ ଏହାକୁ ଲାଗୁ କରାଯିବ ବୋଲି ସେ କହିଛନ୍ତି । ଲୋକସେବା ଭବନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ୍‌ ଅଫିସରଙ୍କ ସମ୍ମିଳନୀ । ଏକାଠି ହୋଇଛନ୍ତି ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସବୁ ଜିଲ୍ଲାର ଜିଲ୍ଲାପାଳ । ତିନି ବର୍ଷ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ୧୭ଟି ପ୍ରସଙ୍ଗରେ ଉପରେ ବିଶେଷ ଆଲୋଚନା କରାଯିବ । ଗୁଡ୍‌ ଗଭର୍ଣ୍ଣାନ୍ସ ଉପରେ ରହିଛି ପ୍ରଥମ ଅଧିବେଶନ ।

ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟରେ ଦ୍ୱିତୀୟ ଦିନରେ ଆଲୋଚନା କରାଯିବ । ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ତୃଣମୂଳସ୍ତରରେ କେତେ ପହଞ୍ଚି ପାରୁଛି ସେନେଇ ଆଲୋଚନା କରାଯାଉଛି । କାଳିଆ, ମମତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମୁକ୍ତା ଭଳି ବିଭିନ୍ନ ଯୋଜନା ନେଇ ମାନସମନ୍ଥନ କରାଯିବ । ଡୋର୍‌ ଟୁ ଷ୍ଟେପ ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଉଛି । 5T କାରଣରୁ ଅନେକ କ୍ଷେତ୍ରରେ ଓଡ଼ିଶା ରୋଲ ମଡେଲ୍‌ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.