Below header

କଟକ ସହରକୁ ଭିକ୍ଷୁକ ମୁକ୍ତ କରିବାକୁ ସିଏମ୍‌ସିର ପ୍ରୟାସ, ଆନନ୍ଦାଳୟରେ ଥଇଥାନ ହେଉଛନ୍ତି ଏମାନେ

କଟକ (କେନ୍ୟୁଜ୍‌) : ରାସ୍ତା କଡ଼, ମନ୍ଦିର, ଗହଳି ଜାଗା ଅବା ବସଷ୍ଟାଣ୍ଡରେ ଏମାନଙ୍କୁ ଦେଖିବାକୁ ମିଳୁଥିଲାା । ନିଜ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ହାତପାତି ମାଗୁଥିଲେ ପେଟ ବିକଳରେ । ହେଲେ ଏବେ ବଦଳି ଯାଇଛି ସେମାନଙ୍କ ଠିକଣା । ରାସ୍ତା କଡ଼ରୁ ଆସି ପହଞ୍ଚିଛନ୍ତି ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ । ତେଣୁ ଖୁସି କହିଲେ ନସରେ । ଭୋକ ଶୋଷରୁ ମିଳିଛି ମୁକ୍ତି। ଆଉ ମିଳିଛି ମୁଣ୍ଡ ଉପରେ ଛାତ। ପୁରୁଣା ପରିଚୟ ଏବେ ପଛରେ ରହି ଯାଇଛି । ସିଏମ୍‌ସିର ଉଦ୍ୟମରେ କଟକ ସହରର ବିଭିନ୍ନ ସ୍ଥାନରୁ ଭିକ୍ଷୁକ ଓ ଦିବ୍ୟାଙ୍ଗମାନଙ୍କୁ ବୁଝାଇ ସୁଝାଇ ଅଣାଯାଇଛି । ତିନିଟି କେନ୍ଦ୍ରରେ ଥଇଥାନ ରଖାଯାଇଛି ଏମାନଙ୍କୁ ।

କଟକ କାଜିପାଟଣାରେ ବିକାଶ ଅନୁଷ୍ଠାନ ଦ୍ଵାରା ୧୬୦ରୁ ଊର୍ଦ୍ଧ୍ଵ ବ୍ଯକ୍ତିଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏମାନଙ୍କୁ ଭିତରୁ ୬୦ ଜଣ ନିଜ ପରିବାର ଲୋକଙ୍କ ପାଖକୁ ଫେରି ଗଲେଣି। ସେହିପରି କଟକ ଜଗତପୁରରେ ସଂସ୍କାର ଅନୁଷ୍ଠାନ ଦ୍ଵାରା ୯୦ରୁ ଅଧିକ ମହିଳା ଓ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ଭିତରୁ ପ୍ରାୟ ୫୦ ଜଣ ଘରକୁ ଫେରିଛନ୍ତି । କଟକ ୪୨ ମୌଜାରେ ଓଡିଶା ପତିତ ପାବନ ଉଦ୍ଧାର ସମିତି ଦ୍ଵାରା ରହିଛି ଆଉ ଏକ ଆନନ୍ଦାଳୟ। ତିନିଟି ଆନନ୍ଦାଳୟକୁ ଛାଡ଼ି ଆଗକୁ ଆହୁରି ଭିକ୍ଷୁକ ଥଇଥାନ କେନ୍ଦ୍ର କରିବାକୁ ଯୋଜନା କରାଯାଇଛି। ସେମାନେ କେମିତି ଭିକ୍ଷାବୃତ୍ତି ଛାଡ଼ି ଆତ୍ମନିର୍ଭରଶୀଳ ହୋଇ ପାରିବେ ତା ଉପରେ ଗୁରୁତ୍ୱ ଦିଆଯାଉଛି । ରୌପ୍ୟ ନଗରୀ କଟକକୁ ଭିକ୍ଷୁକ ମୁକ୍ତ କରିବା ପାଇଁ ଆଲୋଚନା ଚାଲିଛି ବୋଲି ସିଏମ୍‌ସି ମେୟର ସୁବାସ ସିଂକହିଛନ୍ତି ।

2

ସହରର ବିଭିନ୍ନ ସ୍ଥାନରେ ବୁଲି ଭିକ୍ଷା ବୃତ୍ତି କରୁଥିବା ଏବଂ ଅସହାୟ ଭିନ୍ନକ୍ଷମମାନଙ୍କୁ ବୁଝାଇ ଆନନ୍ଦଳାୟ ଆଣିଥାନ୍ତି ଦାୟିତ୍ୱରେ ଥିବା ସଦସ୍ଯମାନେ । ସେମାନଙ୍କୁ କାଉନସେଲିଂ କରାଯିବା ସହ ବିଭିନ୍ନ କାର୍ଯ୍ଯରେ ନିୟୋଜିତ କରାଯାଇଥାଏ। ଠୁଙ୍ଗା ଆଦି ଅଳ୍ପ ପରିଶ୍ରମରେ ତିଆରି ହେଉଥିବା ସାମଗ୍ରୀର ଟ୍ରେନିଂ ଦିଆଯାଉଛି । ପ୍ରତି ସନ୍ଧ୍ୟାରେ ପ୍ରାର୍ଥନା କରି ସେମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରାଯାଉଛି । ଟେଲିଫୋନ୍‌ ସେବା ସହିତ ମନୋରଞ୍ଜନ ପାଇଁ ଟିଭି, ଶୋଇବା ପାଇଁ ଶଯ୍ଯ ଆଦି ସମସ୍ତ ସୁବିଧା ରାଜ୍ଯ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ତେବେ ଚେତାବନୀ ଦିଆଯାଛି କି ପରିବାର ଲୋକମାନଙ୍କୁ ହସ୍ତାନ୍ତର କରାଯାଇଥିବା ବ୍ଯକ୍ତି ଯଦି ପରବର୍ତ୍ତୀ ସମୟରେ ସହରର କୌଣସି ସ୍ଥାନରେ ଭିକ୍ଷାବୃତ୍ତି କରନ୍ତି, ସେମାନଙ୍କୁ ପୁଣି ଥରେ ଥଇଥାନ କେନ୍ଦ୍ରକୁ ଅଣାଯିବ । ଏହା ସହ ପରିବାର ଲୋକଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି ।

ଚଳିବାର ସବୁ ସୁବିଧା ରହିଛି ଏହି ଆନନ୍ଦାଳୟରେ । ଗପସପ, ଟିଭି ଦେଖା ଓ ଆଧ୍ୟାତ୍ମିକ ଭାବନାରେ ସମୟ କାଟି ଦେଉଛନ୍ତି ଏମାନୋ ଆଉ ମାନବିକତାର ନିଦର୍ଶନ ଦେଖାଇଛନ୍ତି ଏହି ସ୍ୱେଚ୍ଛାସେବୀ ସଂଗଠନମାନେ । ଯାହା ସୁସ୍ଥ ସମାଜ ଗଢ଼ିବାରେ ସହାୟକ ହେବ ନିଶ୍ଚୟ । ତେଣୁ ଧନ୍ୟବାଦ ସିଏମ୍‌ସି ଓ ଧନ୍ୟବାଦ ସ୍ୱେଚ୍ଛାସେବୀ ସଂଗଠନ । ହେଲେ ଏହି ଯୋଜନା କେବଳ ଆରମ୍ଭରେ ରହି ନଯାଉ, ଏହା ଜାରି ରହୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.