କୃଷି ଋଣ ହଡ଼ପ ମାମଲା: ଗରିବ ଖଟିଖିଆଙ୍କ ନା’ରେ ବ୍ୟାଙ୍କରୁ କିଏ ଉଠାଇଲା ଟଙ୍କା?

ସମ୍ବଲପୁର ଜିଲ୍ଲା ଜମନକିରା ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ନିକଟ ଏକ ବ୍ୟାଙ୍କରେ କୃଷି ଋଣ ହଡ଼ପ ମାମଲା ସାମ୍ନାକୁ ଆସିଛି । କିଛିଦିନ ପୂର୍ବରୁ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ନୂଆଁପାଲି ଗ୍ରାମର କରୁଣାକର ଡିଲା ପାଖକୁ ଉକ୍ତ ବ୍ୟାଙ୍କ ପକ୍ଷରୁ ଏକ ଋଣ ଖିଲପି ନୋଟିସ୍ ଆସିଥିଲା ।

କୁଚିଣ୍ଡା(କେନ୍ୟୁଜ୍‌): ସମ୍ବଲପୁର ଜିଲ୍ଲା ଜମନକିରା ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ନିକଟ ଏକ ବ୍ୟାଙ୍କରେ କୃଷି ଋଣ ହଡ଼ପ ମାମଲା ସାମ୍ନାକୁ ଆସିଛି । କିଛିଦିନ ପୂର୍ବରୁ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ନୂଆଁପାଲି ଗ୍ରାମର କରୁଣାକର ଡିଲା ପାଖକୁ ଉକ୍ତ ବ୍ୟାଙ୍କ ପକ୍ଷରୁ ଏକ ଋଣ ଖିଲପି ନୋଟିସ୍ ଆସିଥିଲା । ଯାହାଫଳରେ କରୁଣାକର ମୁଣ୍ଡରେ ଚଡ଼କ ପଡ଼ିଥିଲା । କାହିଁକି ନା ସେ ଜଣେ ଗରିବ ଖଟିଖିଆ ସାଧାସିଧା ମଣିଷ, କେବେ ବି କୌଣସି ବ୍ୟାଙ୍କରୁ ଋଣ ଆଣିନାହାନ୍ତି ।

ହେଲେ ଏଭଳି ଏକ ନୋଟିସ୍ ଦେଖି ତାଙ୍କ ମୁଣ୍ଡ କିଛି କାମ କଲାନି । ଏହାପରେ କରୁଣାକରଙ୍କ ପୁଅ ଅମରେଶ ଉକ୍ତ ବ୍ୟାଙ୍କକୁ ଯାଞ୍ଚ ପାଇଁ ଯାଇଥିଲେ । ତାଙ୍କ ବାପାଙ୍କ ନାମରେ ଥିବା ଋଣର ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଋଣ ହଡ଼ପ ଘଟଣା ସାମ୍ନାକୁ ଆସିଥିଲା ।

ଋଣ ପାଇଁ ଯେଉଁ ଜମିର ଖତୀୟାନ ଦିଆଯାଇଥିଲା ତାହା ଜମନକିରା ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ରଥୀ କିଶାନ ନାମରେ ଥିବା ଦେଖିବାକୁ ପାଇଥିଲେ । ଭୋଟର କାର୍ଡର ଜେରକ୍ସ କପି ମଧ୍ୟ ସାମ୍ନା ପଟ ତାଙ୍କ ବାପାଙ୍କ ଥିବା ବେଳେ ପଛ ପାଖ ଅନ୍ୟ କାହାର ରହିଥିଲା । ହେଲେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ଜମି ଖତୀୟାନ ଜଣେ ଆଦିବାସୀ ଲୋକର ଯାହା ଜମନକିରା ବ୍ଲକ ଅଞ୍ଚଳର ହୋଇଥିବା ବେଳେ କରୁଣାକର ଜଣେ ଓବିଶି ବର୍ଗର ଏବଂ ସେ ରେଙ୍ଗାଲି ବ୍ଲକ ଅନ୍ତର୍ଗତ ନୂଆଁପାଲି ଗ୍ରାମବାସୀ ଅଟନ୍ତି । ଏପରି ସ୍ଥଳେ କରୁଣାକରଙ୍କ ନାମରେ ଋଣ ମଞ୍ଜୁରୀ ହେଲା କିପରି?

ଏପଟେ ବ୍ୟାଙ୍କର ନୋଟିସ୍ ଅନୁସାରେ ୨୦୧୪ରେ କରୁଣାକର ୫୦,୦୦୦ ଟଙ୍କା କୃଷି ଋଣ ଆଣିଥିଲେ । ଯାହାକି ପରିଶୋଧ ନ କରିବାରୁ ବର୍ତ୍ତମାନ ୫୫,୦୦୦ ଟଙ୍କାରେ ପହଁଚିଲାଣି । ଯାହା ତାଙ୍କୁ ପରିଶୋଧ କରିବାକୁ ପଡ଼ିବ । ବ୍ୟାଙ୍କ କର୍ମଚାରୀ ବାରମ୍ବାର କରୁଣାକରଙ୍କ ଘରକୁ ଦୌଡ଼ୁଥିବାରୁ ତାଙ୍କ ମାନସିକ ସ୍ଥିତି ଭଲ ରହୁନଥିବା ପ୍ରକାଶ କରିଛନ୍ତି ତାଙ୍କ ପୁଅ ଅମରେଶ ।

ତେବେ ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ତତ୍ କାଳୀନ ବ୍ୟାଙ୍କ କତୃପକ୍ଷ ଏଇ ଋଣ ହଡ଼ପରେ ସମ୍ପୂର୍ଣ ଭାବେ ଜଡ଼ିତ । ଆମ ପ୍ରତିନିଧି ବର୍ତ୍ତମାନର ବ୍ୟାଙ୍କ କତୃପକ୍ଷଙ୍କ ସହିତ ସାକ୍ଷାତ କରିଥିଲେ ମଧ୍ୟ ପ୍ରତିକ୍ରିୟା ଦେବା ପାଇଁ ସେ ରୋକଠୋକ ମନା କରିଦେଇଥିଲେ ।

ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଆଉ କାହା କାହା ନାମରେ ଋଣ ହଡ଼ପ ହୋଇଛି ତାହା ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ଏପଟେ ବର୍ତ୍ତମାନ ଏହି ଖବର ପ୍ରସାରଣ ପରେ ଉଚ୍ଚ ସ୍ତରୀୟ ତଦନ୍ତ କରି କରୁଣାକରଙ୍କୁ ନ୍ୟାୟ ମିଳୁଛି ନା ନାହିଁ ତାହାକୁ ହିଁ ଅପେକ୍ଷା ରହିଲା ।

 

Leave A Reply

Your email address will not be published.