ମୁକୁଟ ବିହୀନ ମଲ୍ଲିକା ‘ଜୟଶ୍ରୀ’, ଜନପ୍ରତିନିଧି ହେବା ପାଇଁ ଚଳାଇଛନ୍ତି ଅବିରତ ସଂଗ୍ରାମ

ସମ୍ବଲପୁର (କେ ନ୍ୟୁଜ୍‌) : ସେ ମୁକୁଟ ବିହୀନ ମଲ୍ଲିକା । ତଥାପି ରାଜନୀତି କ୍ଷେତ୍ରରେ ମଲ୍ଲିକା ହେବାର ସ୍ୱପ୍ନ ଛାଡି ନାହାନ୍ତି । ସେ ତାଙ୍କ ଜୀବନ କାଳରେ ୧୪ ଥର ବିଭିନ୍ନ ଜନପ୍ରତିନିଧି ପଦ ପଦବି ପାଇଁ ପ୍ରାର୍ଥୀ ହୋଇଛନ୍ତି , ହେଲେ କେବେ ବି ଜିତି ନାହାନ୍ତି । ଇତିମଧ୍ୟରେ ସେ ପାଞ୍ଚ ଥର ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇଲେଣି । ୨୦୧୯ରେ ମଧ୍ୟ ପୁଣି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ । ଆସନ୍ତୁ ଜାଣିବା ତାଙ୍କର କାହିଁକି ଏଭଳି ନିଶା ।

JAYASHREE-1
ସେ ହେଉଛନ୍ତି ସମ୍ବଲପୁର ସୁବର୍ଣ୍ଣପୁରର ସୁଶ୍ରୀ ଜୟଶ୍ରୀ ମିଶ୍ର । ଜୟଶ୍ରୀଙ୍କର ନିଜର ବୋଲି କିଛି ନାହିଁ । ୟା ପିଣ୍ଡା ତା ପିଣ୍ଡା ସେ ରାତ୍ରୀ ଯାପନ କରନ୍ତି । କେତେବେଳେ ତଳେ ତ ଆଉ କେତେବେଳେ ବ୍ୟାନର ହୋଇଯାଏ ତାଙ୍କର ଶେଯ ।ଦିନ ସାରା ସବୁ ସରାକାରୀ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳେ । କେତେବେଳେ ଜିଲ୍ଲାପାଳ ଅଫିସ ତ କେତେବେଳେ କଚେରୀରେ ସେ ଥାଆନ୍ତି । ହେଲେ ତାଙ୍କର ନିଶା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ବିଧାୟିକାଠାରୁ ଆରମ୍ଭ କରି ସାଂସଦ ହେବାର ସ୍ୱପ୍ନ ଦେଖିଛନ୍ତି । ଇତିମଧ୍ୟରେ ସେ ୮ଥର ଓ୍ଵାର୍ଡ ମେମ୍ବର, ଥରେ ସରପଂଚ, ଥରେ ସାଂସଦ (ପ୍ରାର୍ଥୀପତ୍ର ନାକଚ) ଓ ପାଞ୍ଚଥର ବିଧାୟକ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ହେଲେ କେବେ ବିଜୟର ସ୍ୱାଦ ଚାଖିନାହାନ୍ତି । ୨୦୧୯ରେ ପୁଣି ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ଜୟଶ୍ରୀ ।

JAYASHREE-2
ନିଜ ପାଖରେ ଘରଟିଏ ନାହିଁ । ତେବେ ବିଧାୟିକା ହୋଇ ଅନ୍ୟମାନଙ୍କ ପାଇଁ ଘର ତିଆରି କରିବାର ସ୍ୱପ୍ନ ଦେଖିଛନ୍ତି । ପାଖରେ ସମ୍ବଳ ମାତ୍ର ୫୦ ହଜାର ଟଙ୍କା, ସେଥିରେ ସେ ନିର୍ବାଚନ ଲଢି ବିଜୟୀ ହେବେ ବୋଲି ଆଶା ରଖିଛନ୍ତି । ବୟସ ପ୍ରାୟ ୬୦ । ନିଜ ଘର ନାହିଁ କି ପରିବାର ମଧ୍ୟ ନାହିଁ । ଅବିବାହିତା । ସହର ବାହାରୁ ବିଭିନ୍ନ କାମରେ ଆସୁଥିବା ଲୋକଙ୍କୁ ସହାୟତା କରିବା ସହ ସେମାନଙ୍କୁ ଠିକଣା ଜାଗାକୁ ଯିବାକୁ ପରାମର୍ଶ ଦିଅନ୍ତି । ଦିନେ ଜନପ୍ରତିନିଧି ହୋଇ ଲୋକଙ୍କ ସେବା କରିବାକୁ ସ୍ୱପ୍ନ ଦେଖିଛନ୍ତି ଜୟଶ୍ରୀ । ହେଲେ କେବେବି କୌଣସି ରାଜନୈତିକ ଦଳରର ଆଶ୍ରୟ ନେଇ ନାହାନ୍ତି । ସବୁବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରନ୍ତି । ସବୁଥର ହାରନ୍ତି । ତାଙ୍କର ଏହି ପାଗଳାମିକୁ ଦେଖି ଲୋକେ ଚର୍ଚ୍ଚା କରନ୍ତି ହେଲେ ହାରିବାରେ ଦୁଃଖ କି ଅନୁଶୋଚନା ନାହିଁ ଜୟଶ୍ରୀଙ୍କର । ପୁଣି ନିଜ କର୍ମରେ ବ୍ୟସ୍ତ ରଖନ୍ତି ନିଜକୁ ।

ସମ୍ବଲପୁରରୁ ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ, କେ ନ୍ୟୁଜ୍‌

 

Leave A Reply

Your email address will not be published.