ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ହେବନି
ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ହେବନି । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତଦବ୍ୟତୀତ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାର ମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ ।

ଭୁବନେଶ୍ୱର(କେନ୍ୟୁଜ୍) : ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ହେବନି । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତଦବ୍ୟତୀତ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାର ମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ ଆଦାୟ କରାଯିବ ନାହିଁ ।
ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡିକ ଯେପରି ଅଧିକ ଲୋକପ୍ରିୟ ହେବ ଏବଂ ପର୍ଯ୍ୟଟକ ମାନେ ସେଗୁଡିକ ପରିଦର୍ଶନର ସୁଯୋଗ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ଵରରେ ରାଜ୍ୟ ସଂଗ୍ରହାଳୟ ସହିତ କଳାଭୂମି, ଆଦିବାସୀ ସଂସ୍କୃତି ଓ ଗବେଷଣା ସଂଗ୍ରହାଳୟ, କଟକରେ ସାମୁଦ୍ରିକ ସଂଗ୍ରହାଳୟ ତଥା ବିଭିନ୍ନ ଜିଲ୍ଲାରେ ଅନେକ ସଂଗ୍ରହାଳୟ ରହିଛି ।
ଏଗୁଡିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସହାୟକ ହେବ ବୋଲି ଆଶା କରାଯାଉଛି । ଆମର କଳା, ସଂସ୍କୃତି ସାରା ବିଶ୍ଵରେ ଓଡିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ।