ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ୍ ଦଣ୍ଡାଦେଶ, କିନ୍ତୁ ୧୦ ବର୍ଷ ଭୋଗିବେ
୨୦୧୫ ମସିହାରେ ଏହି ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଦେବାନନ୍ଦ ପଟେଲ ପଞ୍ଚମ ଶ୍ରେଣୀର କିଛି ଛାତ୍ରୀଙ୍କୁ ବାହାନା କରି ନିଜ ଅଫିସ ରୁମକୁ ଡାକି ନେଇ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା।

ସିନ୍ଦରଗଡ଼(କେନ୍ୟୁଜ୍): ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ୍ ଦଣ୍ଡାଦେଶ। ତେବେ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡ ଭୋଗିବେ। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ରାଏଡିହି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦେବାନନ୍ଦ ପଟେଲଙ୍କୁ ସ୍ୱତନ୍ତ୍ର ପକ୍ସୋ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୪୭ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ । ୨୦୧୫ ମସିହାରେ ଏହି ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଦେବାନନ୍ଦ ପଟେଲ ପଞ୍ଚମ ଶ୍ରେଣୀର କିଛି ଛାତ୍ରୀଙ୍କୁ ବାହାନା କରି ନିଜ ଅଫିସ ରୁମକୁ ଡାକି ନେଇ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା।
ଛାତ୍ରୀମାନେ ଘରେ ଜଣାଇବା ପରେ ପ୍ରଥମେ ବିଦ୍ୟାଳୟ ପରିଚାଳନା କମିଟିକୁ ପରିବାର ବର୍ଗ ଜଣାଇବା ସହ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ। ଜଣେ ଅଭିଭାବକ ଲେଫ୍ରିପଡା ଥାନାରେ ଏତଲା ଦେବା ପରେ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ପୋଲିସ ଗିରଫ କରିଥିଲା। ଆଜି ଚୂଡ଼ାନ୍ତ ଶୁଣାଣିରେ ମୋଟ ୧୨ଟି ମାମଲାରେ ଦେବାନନ୍ଦ ପଟେଲଙ୍କୁ ୯୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ପୋକ୍ସୋ କୋର୍ଟ। ତେବେ ଗୋଟିଏ ମାମଲାରେ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡାଦେଶ ଥିବାରୁ ସେ ୧୦ ବର୍ଷ ହିଁ ଜେଲ ଦଣ୍ଡ ଭୋଗିବେ। ଏହା ସହ ଏହି ମାମଲାରେ ପୀଡିତା ୨ଜଣ ଛାତ୍ରୀଙ୍କୁ ୫ଲକ୍ଷ ଲେଖାଁଏ କ୍ଷତିପୂରଣ ଓ ୯ଜଣ ଛାତ୍ରୀଙ୍କୁ ୨ଲକ୍ଷ ଲେଖାଁଏ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ମୋଟ ୪୩ ଜଣଙ୍କ ସାକ୍ଷ୍ୟ ପ୍ରମାଣ ନିଆଯାଇଥିଲା।