ସିଟି ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଅଚଳାଚଳ ସଂପତ୍ତି, ଲକରରେ ରହିଛି ୧୯ଟି ସୁନା ବିସ୍କୁଟ

କଟକ ସିଡିଏରେ ଚିତ୍ତରଞ୍ଜନ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ନାଁରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କରେ ଥିବା ଲକର୍‌ ଯାଞ୍ଚ କରିଛି ଭିଜିଲାନ୍‌ସ ଟିମ୍‌।

କେନ୍ୟୁଜ୍(ବ୍ୟୁରୋ): ସିଟି ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଅଚଳାଚଳ ସଂପତ୍ତି। ଦୁଇଟି ଲକରରୁ ପୁଣି ଠାବ ହେଲା ପାଞ୍ଚ ଲକ୍ଷ ୪୦ ହଜାର ଟଙ୍କା ଓ ଏକ କେଜିରୁ ଅଧିକ ସୁନା। ଏଥିରେ ରହିଛି ୧୯ଟି ସୁନା ବିସ୍କୁଟ। କଟକ ସିଡିଏରେ ଚିତ୍ତରଞ୍ଜନ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ନାଁରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଓ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କରେ ଥିବା ଲକର୍‌ ଯାଞ୍ଚ କରିଛି ଭିଜିଲାନ୍‌ସ ଟିମ୍‌।

ଯାଞ୍ଚ ବେଳେ ଏକ କିଲୋ ୬୦ ଗ୍ରାମର ସୁନା ଅଳଙ୍କାର ଠାବ ହୋଇଛି ଏଥିରେ ୨୪ କ୍ୟାରେଟ ସୁନାର ୪୩୩ଗ୍ରାମର ୧୯ଟି ସୁନା ବିସ୍କୁଟ ରହିଛି। ଏହାର ବଜାର ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହା ସହ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ଲକରରୁ ନଗଦ ପାଞ୍ଚ ଲକ୍ଷ ୪୦ହଜାର ଟଙ୍କା ମିଳିଛି। ଚିତ୍ତ ମହାନ୍ତିଙ୍କ ଅଫିସ ଆଲ୍‌ମିରାରୁ ନଗଦ ଏକ ଲକ୍ଷ ଟଙ୍କା ପାଇଛି ଭିଜିଲାନ୍‌ସ ଟିମ୍‌।

ବର୍ତ୍ତମାନ ସୁଦ୍ଧା ମୋଟ ୧କିଲୋ ୧୩୫ ଗ୍ରାମ ସୁନା ଅଳଙ୍କାର ଓ ୬୪ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଛି। ସିଟି ଜିଏସଟିର କ୍ଲୋଡର ରିପୋର୍ଟ ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପାରାଦୀପ ଏନ୍‌ଫୋର୍ସମେଣ୍ଟ ୟୁନିଟର ସିଟି ଜିଏସଟି ଅଫିସର ଚିତ୍ତରଞ୍ଜନ ମହାନ୍ତିଙ୍କୁ ଗିରଫ କରିଥିଲା ଓଡ଼ିଶା ଭିଜିଲାନ୍‌ସ। ପରେ ମାମଲା ରୁଜୁ କରାଯାଇଛି ତଦନ୍ତ ଆରମ୍ଭ କରାଯାଇଛି। ଚିତ୍ତ ରଞ୍ଜନ ମହାନ୍ତିଙ୍କୁ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଜେଲ ହେପାଜତକୁ ପଠାଯାଇଛି।