Below header

ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ସ୍ଥାନୀୟ ଅଧିବାସୀ କ୍ୟାପିଟାଲ ହସ୍ପିଟାଲ ପରିସରରେ କଲେ ଭଙ୍ଗାରୁଜା

ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ପାଲଟିଛି ରଣକ୍ଷେତ୍ର । ଉତ୍ତ୍ୟକ୍ତ ଲୋକେ ଚଳାଇଛନ୍ତି ଭଙ୍ଗାରୁଜା । କାହାର ମୁଣ୍ଡ ଫାଟିଲାଣି ତ ଆଉ କାହାର ହାତ ଭାଙ୍ଗିଲାଣି । ଆଜି ଅପରାହ୍ନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ହସପିଟାଲର ପୋଷ୍ଟମର୍ଟମ ଗୃହ ନିକଟରେ । ଭୁବନେଶ୍ୱର କଳ୍ପନା ଛକ ନିକଟ ଏକ ଜିମ୍‌ ଭିତରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ଘଟଣାକୁ କେନ୍ଦ୍ର କରି ଏଭଳି ମହାଭାରତ ସୃଷ୍ଟି ହୋଇଥିବା ଜଣାଯାଇଛି । ଯେଉଁଠି ଓହଳିବାର ଏକ୍ସରସାଇଜ୍‌ କରାଯାଏ ସେଇଠି ଝୁଲୁ ଥିଲା ମର ଶରୀରଟି । ଗୋଡ଼ ଦୁଇଟି ତଳେ ଲାଗିଥିଲା । ଖବର ପାଇ ପୋଲିସ୍‌ ମୃତଦେହ ଉଦ୍ଧାର କରି ଆଣି ପହଞ୍ଚାଇ ଦେଲା କ୍ୟାପିଟାଲ ହସପିଟାଲରେ ।

CAPITAL HOSPITAL

ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ହେବା କଥା । ହେଲେ ହସ୍ପିଟାଲ ପରିସରରେ ଆରମ୍ଭ ହୋଇଗଲା ତୁମୁଳ କାଣ୍ଡ । ଆମ ପିଲା ଆତ୍ମହତ୍ୟା କରି ନାହିଁ , ତାକୁ ହତ୍ୟା କରାଯାଇଛି, ଦୋଷୀକୁ ଧର ଏମିତି କିଛି କହି ପାଟିତୁଣ୍ଡ କରୁଥିଲେ ପରିବାର ଓ ସ୍ଥାନୀୟ ଲୋକେ ।
ସୂଚନା ଅନୁସାରେ, ମୃତ ଯୁବକଙ୍କ ନାଁ ହେଉଛି ରଣଜିତ ନାୟକ । ସେ ସଂପୃକ୍ତ ଜିମ୍‌ରେ ସିକ୍ୟୁରିଟି ଗାର୍ଡ଼ ଭାବେ କାମ କରୁଥିଲେ । ତେବେ କଣ ହେଲା କେଜାଣି ଆଜି ସକାଳୁ ତାଙ୍କର ଝୁଲନ୍ତା ମୃତଦେହ ଜିମ୍‌ ଭିତରୁ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଏଯାବତ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ରଣଜିତଙ୍କ ଘର ଛଅ ନମ୍ବର ୟୁନିଟ୍‌ରେ ।

CAPITAL HOSPITAL

ତେଣୁ ତାଙ୍କ ମୃତଦେହ ଆସି କ୍ୟାପିଟାଲ ହସପିଟାଲରେ ପହଞ୍ଚିବା ପରେ ପରିବାର ଓ ସମ୍ପର୍କୀୟଙ୍କ ସମେତ ସ୍ଥାନୀୟ ଲୋକେ ମଧ୍ୟ ପହଞ୍ଚି ଯାଇଥିଲେ । ଗୋଟିଏ ପଟେ ପରିବାର ଲୋକଙ୍କ କାନ୍ଦ ବୋବାଳି ଆଉ ଗୋଟିଏ ପଟେ ବିରୋଧ । ରଣଜିତଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କ ହତ୍ୟାକାରୀଙ୍କୁ ଧରିବା ଦାବି କରି ଲୋକେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । ଆଉ ଏହାକୁ ଆରମ୍ଭ ହୋଇଗଲା ତୁମୁଳ କାଣ୍ଡ । ଭଙ୍ଗାରୁଜା କଲେ ଲୋକେ । ରଣଜିତ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.