ସାହି ପଡିଶାର ବାସନ୍ଦ ଧମକକୁ ଡରି ନିଷ୍ଠୁର ହେଇଗଲେ ବାପା, ଝିଅର ମୃତଦେହକୁ ଫିଙ୍ଗି ଦେଲେ ଜଙ୍ଗଲରେ

ଅନ୍ଧ ବିଶ୍ବାସର କରୁଣ ପରିଣତି। ସାହି ପଡିଶାର ବାସନ୍ଦ ଧମକକୁ ଡରି ନିଷ୍ଠୁର ହେଇଗଲେ ଜଣେ ଜନ୍ମଦାତା ବାପା । ଯେଉଁ ଝିଅକୁ କୋଳେଇ କାଖେଇ ବଡ଼ କରିଥିଲେ, ତା’ର ମୃତଦେହକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଇଆସିଲେ।

ସୁବର୍ଣ୍ଣପୁର(କେନ୍ୟୁଜ୍): ଅନ୍ଧ ବିଶ୍ବାସର ଅନ୍ଧ ଗଳିରେ ଆଜିକି ମଣିଷ ସମାଜ ବାଟବଣା। ଭଲ ମନ୍ଦର ବିଚାର କରିବା ଶକ୍ତି ବି ହରାଉଛି। ଯାହାର ଜ୍ବଳନ୍ତ ଉଦାହରଣ ପୁଣି ସାମ୍ନାକୁ ଆସିଛି। ଅନ୍ଧ ବିଶ୍ବାସର କରୁଣ ପରିଣତି। ସାହି ପଡିଶାର ବାସନ୍ଦ ଧମକକୁ ଡରି ନିଷ୍ଠୁର ହେଇଗଲେ ଜଣେ ଜନ୍ମଦାତା ବାପା । ଯେଉଁ ଝିଅକୁ କୋଳେଇ କାଖେଇ ବଡ଼ କରିଥିଲେ, ତା’ର ମୃତଦେହକୁ ଜଙ୍ଗଲ ଭିତରେ ଫିଙ୍ଗି ଦେଇଆସିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ । ତେବେ ମୃତଦେହ ଫିଙ୍ଗିବାର ପ୍ରାୟ ୨୪ ଘଣ୍ଟା ପରେ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ମାନେ ଉଦ୍ଧାର କରି କଲେ ଶବ ସତ୍କାର ।

ଯାହା ଜଣାପଡିଛି, ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡ଼ଜୋର ଗାଁର ରାଜେନ୍ଦ୍ର ଦୁଆରିଙ୍କ ଝିଅ ସଂଯୁକ୍ତା । ବୟସ ପ୍ରାୟ ୨୯ ହେବ । ତାଙ୍କ ପାଟିରେ ଘାଆ ହୋଇଯାଇଥିଲା । ପରିବାର ଲୋକେ ତାଙ୍କୁ ତରଭା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ରୋଗ ଭଲ ହୋଇନଥିଲା । ବରଂ ପାଟିରେ ହୋଇଥିବା ଘାଆ ଧୀରେ ଧୀରେ ବଢିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସଞ୍ଜୁକ୍ତାଙ୍କୁ ବଲାଙ୍ଗିରର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସା ପରେ ମଧ୍ୟ ତାଙ୍କ ରୋଗ ଭଲ ହୋଇନଥିଲା । ତା’ପରେ ଝିଅକୁ ଧରି ଘରକୁ ପଳାଇ ଆସିଥିଲେ ବାପା ରାଜେନ୍ଦ୍ର। ଝିଅକୁ ଭଲ କରିବା ପାଇଁ ଗୁଣି ଗାରେଡିର ସହାୟତା ନେଇଥିଲେ । ତଥାପି ଝିଅର ରୋଗ ଭଲ ହୋଇନଥିଲା । ସଂଯୁକ୍ତାଙ୍କ ଯନ୍ତ୍ରଣା ଦେଖି ନିରୁପାୟ ହୋଇପଡ଼ିଥିଲେ ବାପା ରାଜେନ୍ଦ୍ର । କିଛି ଉପାୟ ନପାଇ ଧାର ଉଧାର କରି ୧୪ ତାରିଖରେ ଝିଅକୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ଯବସ୍ଥା କରୁଥିଲେ । ହେଲେ ତା’ପୂର୍ବରୁ ଆଖି ବୁଜିଦେଲା ଝିଅ ସଂଯୁକ୍ତା।

ଏତିକିରେ ସରିନଥିଲା ଦୁଃଖ, ଝିଅ ମୃତ୍ୟୁ ପରେ ଗାଁରେ ଗୁଜବ ପ୍ରଚାର ହେଲା କୁଆଡେ ବସନ୍ତ ରୋଗରେ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଛି । ଏହା ପରେ ମୃତଦେହ ସତ୍କାର କରିବା ପାଇଁ ଆରମ୍ଭ ହେଲା ପ୍ରହସନ। ଭୟରେ ଗାଁ ଲୋକ କେହି ଆସିଲେନି । ଜ୍ଞାତି, କୁଟୁମ୍ବଙ୍କୁ ଯେତେ ଗୁହାରି କଲେ ମଧ୍ୟ କେହି ଶୁଣିଲେ ନାହିଁ ବରଂ ମିଳିଥିଲା ବାସନ୍ଦ ଧମକ । ଝିଅର ମୃତଦେହକୁ ବାହାରେ ଫିଙ୍ଗି ଦେବା ପାଇଁ ଗାଁ ଲୋକେ କହିଥିଲେ । ଯାହାକୁ ନେଇ ଅଡୁଆରେ ପଡ଼ି ଯାଇଥିଲେ ରାଜେନ୍ଦ୍ର ।

ଶେଷରେ ଗାଁ ଲୋକଙ୍କ ଭୟ ଆଗରେ ନିଷ୍ଠୁର ହୋଇଗଲେ । ନିଜର ଦୁଇ ପୁତୁରାଙ୍କ ସହ ମିଶି ଝିଅର ମୃତଦେହକୁ ଖଟରେ ତିନି କିମି ବୋହି ନେଇ ଜଙ୍ଗଲ ଭିତରେ ଫିଙ୍ଗି ଦେଇ ଆସିଥିଲେ । ମୃତଦେହ ଉପରେ କାଠି ପତର ପକାଇ ଦେଇ ଆସିଥିଲେ। କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିରର କିଛି ସ୍ବେ ଚ୍ଛାସେବୀ ମୃତଦେହକୁ ଉଦ୍ଧାର କରିଥିଲେ । ପୋଲିସ୍‌ ଓ ପ୍ରାଶାସନର ଅନୁମତିରେ ଗତକାଲି ସନ୍ଧ୍ଯା ବେଳେ ମୃତଦେହକୁ ବଲାଙ୍ଗିର ବିଭୂତିପଡ଼ା ଶ୍ମଶାନରେ ସତ୍କାର କରାଯାଇଥିଲା ।

ତେବେ ବସନ୍ତ ହାଡଫୁଟି ରୋଗର ନିରାକରଣ ହେଲାଣି । ତା’ର ଔଷଧ ମଧ୍ୟ ବାହାରିଲାଣି । କିନ୍ତୁ ଆଜି ବି ଗାଁ ମାନଙ୍କରୁ ଯାଇନି ଅନ୍ଧବିଶ୍ବାସ। କଣ ଲୋକଙ୍କୁ ସଚେତନ କରିବାରେ ଫେଲ ମାରିଛନ୍ତି କି ଜିଲ୍ଲା ପ୍ରସାଶନ ଓ ସରକାର?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.