Below header

ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ବ୍ରହ୍ମପୁରର ଦୀପିକା ହେଲେ ହାଇକୋର୍ଟର ଦ୍ବାରସ୍ଥ

କଟକ(କେନ୍ୟୁଜ୍):  ନୂଆ ମୋଡ ନେଉଛି ବ୍ରହ୍ମପୁରର ଦୀପିକା ଦିନେଶ ପ୍ରେମ ବିବାଦ ମାମଲା । ପୁଅକୁ ବାପାର ପରିଚୟ ଓ ସ୍ତ୍ରୀର ଅଧିକାର ପାଇଁ ଲଢେଇ କରୁଥିବା ଦୀପିକା ଆଜି ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଦିନେଶଙ୍କ ଜାମିନ ଖାରଜ ପାଇଁ ହାଇକୋର୍ଟରେ ପାର୍ଥନା କରିଛନ୍ତି ଦୀପିକା । ଦୀପିକାଙ୍କୁ ଦୁଷ୍କର୍ମ ମାମଲାରେ ଜେଲ ଦଣ୍ଡ ପାଇବା ପରେ ଏବେ ଜାମିନରେ ଅଛନ୍ତି ଦିନେଶ ।

ହାଇକୋର୍ଟ ଦେଇଥିବା ସର୍ତ୍ତ ଦିନେଶ ଖିଲାପ କରୁଥିବା କୋର୍ଟଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ଦୀପିକା। ସେହିପରି ଦିନେଶ ଜାମିନରେ ଥିବା ସମୟରେ ଦୀପିକାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ମାମଲାର ତୁରନ୍ତ ଶୁଣାଣି ପାଇଁ ଦୀପିକା ଆବେଦନରେ ଉଚ୍ଚ ନ୍ୟାୟାଳୟଙ୍କୁ ପ୍ରାର୍ଥନା କରିଛନ୍ତି। ଆଜି ହାଇକୋର୍ଟରେ ଦୀପିକା ନିଜେ ଉପସ୍ଥିତ ରହି ତାଙ୍କ ମାମଲାର ଶୁଣାଣି ପାଇଁ ପ୍ରାର୍ଥନା କରିଥିଲେ। ଦୀପିକାଙ୍କ ପିଟିସନର ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି ଆଶା କରାଯାଉଛି। ନିଜକୁ ସ୍ତ୍ରୀ ଓ ସନ୍ତାନକୁ ପରିଚୟ ଦାବିରେ ଦୀର୍ଘ ୭୩ ଦିନ ଧରି ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା ।

ଦିନ ଗଡିବାକୁ ଲାଗିଛି ହେଲେ କିଛି ସୁଫଳ ମିଳୁନାହିଁ । ପାରିବାରିକ ସମସ୍ୟାର ସମାଧାନ ବାଟ ବାହାରି ପାରୁନାହିଁ । ତେଣୁ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀଙ୍କୁ ଧରି ମହିଳା କମିଶନଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ବ୍ରହ୍ମପୁର ବଡ ବଜାର ଦେଶୀ ବେହେରା ସାହିର କେ.ଦୀପିକା ଏବଂ କେ. ଦିନେଶଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରେମ ସମ୍ପର୍କ ପରେ ଧୋକାରେ ପରିଣତ ହୋଇଥିଲା । ଦୀନେଶ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରୁଥିବା ଖବର ପାଇଥିଲେ ଦୀପିକା। ଏହାପରେ ସ୍ତ୍ରୀର ମାନ୍ୟତା ଓ ଛୁଆକୁ ବାପାର ପରିଚୟ ଦେବାକୁ ଦୀନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି କେ.ଦୀପିକା । ତାଙ୍କ ଧାରଣାକୁ ଦିନେଶଙ୍କ ଘର ଲୋକ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ଅନେକ ସମୟରେ ଦୀପିକା ଓ ଦିନେଶଙ୍କ ଘର ଲୋକଙ୍କ ସହ କଳହ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.