Below header

ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ:ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଚ୍ଚଶିକ୍ଷା ଫଳାଫଳ ଓ ଆର୍ଥିକ କ୍ଷେତ୍ର ସଂପର୍କିତ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। କ୍ୟାରିଅର ପରାମର୍ଶ କକ୍ଷ ପାଇଁ ଉତ୍କଳ ଓ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ସହ ୪ଟି ନମୂନା ଯାଞ୍ଚ ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କ ଠାରୁ ୪୧ଲକ୍ଷ ୫୦ହଜାର ଟଙ୍କା ପାଇଥିଲେ ମଧ୍ୟ ଏହାକୁ ଖର୍ଚ୍ଚ କରିପାରିନାହାନ୍ତି।

ସିଭିଲ ସର୍ଭିସ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତ ଆଣିବାକୁ ବିଶ୍ୱବିଦ୍ୟାଳୟମାନଙ୍କରେ କୋଚିଂ ମାଧ୍ୟମରେ ୬୦ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲେ ମଧ୍ୟ ୨୦୧୭-୧୮ରେ କୌଣସି ଛାତ୍ରଛାତ୍ରୀ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇପାରିନଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁମୋଦିତ ୨୩୨ ଶିକ୍ଷକ ପଦ ରହିଥିବା ବେଳେ ୩୮ପ୍ରତିଶତ ପଦବୀ ଖାଲି ପଡ଼ିଛି।

ଉତ୍ତର ଓଡ଼ିଶା ୟୁନିଭର୍ସିଟିରେ ୩୪ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସାମଗ୍ରିକ ଭାବେ ଅଧିକାଂଶ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ରହିଛି। ୨୦୧୪-୧୯ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି ପରୀକ୍ଷାରେ ଫଳାଫଳ ପ୍ରକାଶରେ ବିଳମ୍ବ କରିଛି। ନିର୍ଦ୍ଧାରିତ ତାରିଖ ଠାରୁ ୪ମାସରୁ ୮ମାସ ବିଳମ୍ବରେ ଫଳ ପ୍ରକାଶ କରିଛି।

ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଆର୍ଥିକ ସ୍ଥିତି ଉପସ୍ଥାପନ ହୋଇଛି। ରାଜ୍ୟ ଘରୋଇ ଉତ୍ପାଦ ସ୍ଥିତିରେ ୧୬.୮୩ ପ୍ରତିଶତ ବୃଦ୍ଧି ହୋଇଛି। ସରକାର ୯୯,୫୪୬ କୋଟି ଟଙ୍କାର ରାଜସ୍ୱ ଲାଭ କରିଛନ୍ତି। ୨୦୧୮-୧୯ରେ ବିକ୍ରୟ କର, ବାଣିଜ୍ୟ କର ଏବଂ ରାଜ୍ୟ ଅବକାରୀ ଓ ଯାନବାହନ କର ଆଦାୟ ଖର୍ଚ୍ଚ କମିବା ଦ୍ୱାରା କର ଆଦାୟରେ ଦକ୍ଷତା ପ୍ରତିପାଦିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.