Below header

ଅସ୍ତରଙ୍ଗ ଗ୍ରାମରେ ନିଆରା ଢଙ୍ଗରେ ପାଳନ କରାଯାଏ ଅଗ୍ନି ଉତ୍ସବ, ଜାଣନ୍ତୁ ଏହାର ପରମ୍ପରା ଓ ରୀତିନୀତି

କାକଟପୁର: ଭିନ୍ନ ଆମ ପରମ୍ପରା ଭିନ୍ନ ଆମ ସଂସ୍କୃତି ,ସବୁ ଭିନ୍ନତା ମଧ୍ୟରେ ଆଜି ବି ବଞ୍ଚିରହିଛି ଆମ ଗ୍ରାମୀଣ ରୀତି ନୀତି ଓ ପରମ୍ପରା। ଆମ ପାଣି ପବନ ରେ ଭରି ରହିଛି ସଂସ୍କୃତିର ମହକ | ଏଠି ନିର୍ଜୀବ ପାଷାଣ ଦେହରେ ସିନ୍ଦୁର ବୋଳିଦେଲେ ସେ ହୋଇଯାଏ ଦେବତା ଆଉ ତାରି ଆଗରେ ସରଳ ଓଡିଆ ମଣିଷ ଟିଏ ନୂଆଇଁ ଦେଇଥାଏ ତାର ମଥା | ସେହି ଭଳି ଏକ ପରମ୍ପରା ହେଉଛି ଅଗ୍ନି ଉତ୍ସବ ବା ଅଗିରା ପୁନେଇ | ଏହି ଅଗ୍ନି ଉତ୍ସବ ଓଡିଶାର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରାରେ ପାଳିତ ହୋଇଥାଏ | କିନ୍ତୁ ଅସ୍ତରଙ୍ଗ ଗ୍ରାମରେ ଟିକେ ନିଆରା ଢଙ୍ଗରେ ପାଳନ କରାଯାଇଥାଏ ଏହି ଉତ୍ସବ |

purnimaପରମ୍ପରା ଅନୁଯାୟୀ, ଗ୍ରାମର ପ୍ରତେକ ପରିବାର ନଡା ବା ଛଣ ଆଣି ଗ୍ରାମର ଅଗ୍ନି ମଣ୍ଡପ ଠାରେ ଏକାଠି କରି ଗଦାକରନ୍ତି | ଏହି ଛଣ ବା ନଡା ଦ୍ଵାରା ଦୁଇଟି ଆଗି ପ୍ରସ୍ତୁତ କରାଯାଏ | ଏହି ଆଗିରେ ଅଗ୍ନି ସଂଯୋଗ କରିବା ପାଇଁ ଅସ୍ତରଙ୍ଗ ଗ୍ରାମର ଏକ ନିର୍ଦ୍ଧିଷ୍ଟ କମାର ବା ଓଝା ପରିବାରର କମାର ସାଆଣ ଚକିରୁ ନିଆ ସଂଗ୍ରହ କରାଯାଇ ଆସିଥାଏ | ଗ୍ରାମର ଓଝା ପରିବାରର ମୁରବି ସନ୍ଧ୍ୟାରେ ସ୍ନାନ କରି ନୂଆ ବସ୍ତ୍ର ପିନ୍ଧି ତାଙ୍କ କୌଳିକ ବୃତିର ଇଷ୍ଟ ସାଆଣ ଚକୀକୁ ପୂଜାର୍ଚନା କରିଥାନ୍ତି। ପୂଜାର୍ଚନା ସାରିବା ପରେ ସେହି ସାଆଣ ଚକିରୁ ଏକ ଲୁହା ସାହାଯ୍ୟରେ ସୋଲ ଯୋଗେ ଅଗ୍ନିକୁ ପ୍ରସ୍ତୁତ କରିଥାନ୍ତି ସେହି ସୋଲ ଅଗ୍ନିକୁ ନଡିଆ କତା ମଧ୍ୟରେ ରଖି ଅଗ୍ନିକୁ ପ୍ରଜ୍ବଳନ କରିଥାନ୍ତି |

nadaଏହାପରେ ନଡାରେ ପ୍ରସ୍ତୁତ ଏକ ଅଟା ଦେହରେ ସେହି ଅଗ୍ନିକୁ ସଂଯୋଗ କରିଥାନ୍ତି | କମାର ଶାଳରେ ଅଗ୍ନି ପ୍ରସ୍ତୁତ ହେବାପରେ ଗ୍ରାମର ପୂଜକ ଏକ ଶୋଭାଯାତ୍ରାରେ ଆଶୀ ଓଝା ପରିବାର ନିକଟରେ ପହଞ୍ଚନ୍ତି,ଏବଂ ସେଠାରେ ଓଝା ପରିବାରର ମୁରବୀଙ୍କୁ ବନ୍ଦାପନା କରି ଚନ୍ଦନ ଟିପା ଲଗାଇ ଫୁଲ ମାଳ ପିନ୍ଧାଇ ଅଗ୍ନି ମଣ୍ଡପକୁ ନିଅନ୍ତି | ଏହି ଶୋଭାଯାତ୍ରାରେ ଢୋଲ ,ମହୁରି ,ଶିଙ୍ଗା,ଘଣ୍ଟ,ଶଙ୍ଖ ଆଦି ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଯାଇ ଥାଏ | ଅଗ୍ନିମଣ୍ଡପରେ ଅଗ୍ନି ପହଞ୍ଚିଲେ ସେଠାରେ ଓଝା ପରିବାରର ମୁରବି ସେହି ଅଗ୍ନିଅଟାଟିକୁ ପୂଜକଙ୍କ ହାତକୁ ଦେଇଥାନ୍ତି ଏବଂ ପୂଜକ ସେହି ଅଗ୍ନିକୁ ପୂଜାର୍ଚନା କରି ଆଗିଗଦା କୁ ପ୍ରତିଷ୍ଠା କରିଥାନ୍ତି | ଏହାପରେ ପୂଜକ ସେହି ଅଗ୍ନିକୁ ଧରି ଆଗି ଚାରିପାଖେ ତିନିଘେରା ପରିକ୍ରମା କରି ଅଗିଗଦାରେ ଅଗ୍ନି ସଂଯୋଗ କରନ୍ତି |

ହିନ୍ଦୁ ଧର୍ମର ଶାସ୍ତ୍ର,ପୁରାଣ ଅନୁଯାୟୀ ଅଗ୍ନିକୁ ଦେବତା ବୋଲି କୁହାଯାଇଛି । ଅଗ୍ନିଦେବତା ରୁଷ୍ଟ ହେଲେ ଧ୍ବସଂର ତାଣ୍ଡବଲୀଳା ସୃଷ୍ଟି ହୋଇଥାଏ | ପୂର୍ବକାଳରେ ଗ୍ରାମମାନଙ୍କରେ ଚାଳ ଛପର ଘରସବୁ ରହିଥିଲା । ଅନେକ ସମୟରେ ଏହି ଚାଳ ଛପର ଘର ଅଗ୍ନିକାଣ୍ଡରେ ପୋଡି ଅନେକ ଧନ ଜୀବନ ନଷ୍ଟ ହେଉଥିଲା |ଲୋକମାନେ ଅଗ୍ନି କାଣ୍ଡରୁ ନିଜର ବାସଗୃହ ଓ ଧନଜୀବନକୁ ରକ୍ଷା କରିବା ପାଇଁ ଅଗ୍ନି ଦେବତାକୁ ପୂଜା କରୁଥିଲେ | ଏହି ଅଗ୍ନିଦେବତାଙ୍କ ପୂଜାକୁ ଅଗ୍ନି ଉତ୍ସବ ନାମରେ ପାଳନ କରାଯାଇଥାଏ | ଏହି ଅଗ୍ନି ଉତ୍ସବରେ ଅଗ୍ନିଦେବତାଙ୍କୁ ସନ୍ତୁଷ୍ଟ କରିବାପାଇଁ ଅଗିରେ ବିଭିର୍ଣ୍ଣ ଫଳ,ଫୂଲକୁ ନୈବେଦ୍ୟ ଭାବରେ ପ୍ରଦାନ କରାଯାଇଥାଏ |

vegiଏହି ପରମ୍ପରାକୁ ଆଜିମଧ୍ୟ ଓଡିଶାର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଉଛି | ଆଜି ବି ଅଗ୍ନି ଉତ୍ସବ ଦିନ ଲୋକମାନେ ହାତରେ ସାହାଡା ଡାଳକୁ ହାତରେ ଧରି ଅଗିରେ ଦେଖାଇ ସେହି ଦରପୋଡା ସାହାଡା ଡାଳକୁ ନେଇ ନିଜ ନିଜ ଘରର ଚାଳରେ ରଖିଥାନ୍ତି | ବିଶ୍ବାସ ଅଛି ଏହି ଅଗିର ସାହାଡା ଡାଳକୁ ଘରେ ରଖିଲେ ଗୃହରେ କୌଣଷି ଅଗ୍ନି ଭୟ ରହେନାହିଁ | ବର୍ତ୍ତମାନର ବିଜ୍ଞାନ ଯୁଗରେ ମଣିଷ ଯେତେ ଆଗକୁ ଗଲେ ମଧ୍ୟ ନିଜର ପରମ୍ପରାକୁ ଅଜି ମଧ୍ୟ ବଞ୍ଚାଇ ରଖିଛି, ତାଠାରୁ ବଡ କଥା ଆଉ କଣ ଅଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.