Below header

ସମଲେଇ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ ପାଣ୍ଡିଆ

କେନ୍ୟୁଜ୍(ବ୍ୟୁରୋ): ସମ୍ବଲପୁର ଗସ୍ତରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ସମ୍ବଲପୁର ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ମାଆ ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲେ । ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଥିବା ଅଞ୍ଚଳକୁ ନିରୀକ୍ଷଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜନବସତିକୁ ଦୁର୍ଗାପାଲି ଠାରେ ନିର୍ମାଣାଧୀନ କଲୋନୀକୁ ସ୍ଥାନାନ୍ତର କରାଯିବ । ସେଠାରେ ପ୍ରଶାସନ ତରଫରୁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଏହି ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଜିଲ୍ଲା ଓଡ଼ିଶା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର ସହ ଅର୍ଥନୀତି କ୍ଷେତ୍ରରେ ସୁଦୃଢ଼ ହେବ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଗଣିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ।

ମନ୍ଦିର ପାରିପାର୍ଶ୍ୱ ବୁଲିବା ପରେ ଟିମ ଦୁର୍ଗାପାଲି ଗସ୍ତ କରି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ବାସିନ୍ଦାଙ୍କ ପାଇଁ ନିର୍ମାଣ କରାଯାଉଥିବା କଲୋନୀ ବୁଲି ଦେଖିଛନ୍ତି । କାମ ତୁରନ୍ତ ସାରିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯଥାଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣ ସ୍ଥଳୀରେ ବିସ୍ଥାପନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ସାରିଛି ଏବଂ ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ମାଣ କାମ ଆରମ୍ଭ କରାଯିବ I ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି I ଏହି ପରିଦର୍ଶନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.