ଏଠାରେ ଦିଆଯାଉଛି ମାଗଣା ସିଲେଇ ପ୍ରଶିକ୍ଷଣ, ନିଆରା ପ୍ରୟାସ କରିଛନ୍ତି ଅଙ୍କୁର
ଆନନ୍ଦପୁର (କେନ୍ୟୁଜ) : ଏଠାରେ ଦିଆଯାଉଛି ବିନା ପାରିଶ୍ରମିକରେ ସିଲେଇ ପ୍ରଶିକ୍ଷଣ। ଶତାଧିକ ମହିଳା ଏବଂ ଯୁବତୀ ମାନଙ୍କୁ ବିନା ଟଙ୍କାରେ ଶିଖାଉଛନ୍ତି ସିଲେଇ କାମ। ଏପରି ନିଆରା ପ୍ରୟାସ କରିଛନ୍ତି ଜଣେ ଭିନ୍ନକ୍ଷମ। ସରକାରୀ ଚାକିରୀ ପଛରେ ନଗୋଡାଇ ନିଜେ ରୋଜଗାର କରିବା ସହ ଅନ୍ୟ ମାନଙ୍କୁ ରୋଜଗାର ଦେଉଛନ୍ତି ଏହି ବ୍ୟକ୍ତି।
ଏ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଳତୀ ଗାଁର ଅଙ୍କୁର ସାହୁ। ଏହା ହେଉଛି ତାଙ୍କ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର। ଯେଉଁଠି ମହିଳା ଓ ଯୁବତୀମାନେ ବିନା ଦେୟ ରେ ସିଲେଇ ଶିକ୍ଷା କରିଥାନ୍ତି । ଆଖପାଖ ବିଭିନ୍ନ ଗାଁର ମହିଳା ଓ ଯୁବତୀମାନେ ଏଠାରେ ବର୍ଷ ବର୍ଷ ଧରି ସିଲେଇ ଶିକ୍ଷା କରୁଛନ୍ତି । ସମସ୍ତଙ୍କୁ ଏଠାରେ ମାଗଣାରେ ଶିକ୍ଷା ଦେଇଥାନ୍ତି ଅଙ୍କୁର।
ପିଲାଟି ଦିନରୁ ଅଭାବ ଅନଟନରେ ବଢିଥିଲେ ଅଙ୍କୁର । ଟଙ୍କା ଅଭାବରୁ ମ୍ଯାଟ୍ରିକ୍ ଯାଏ ପଢିବା ପରେ ଆଗକୁ ପଢିପାରି ନଥିଲେ । ଏହାପରେ ତାଙ୍କର ସାମରିକ ବାହିନୀରେ ଚାକିରୀ ଆସିଥିଲେ ମଧ୍ୟ ଅର୍ଥାଭାବରୁ ସେଠାକୁ ଯାଇପାରି ନଥିଲେ। ସମୟକ୍ରମେ ଦୃଢମନା ହୋଇ ସେ ଚାକିରୀ ପଛରେ ନ ଗୋଡାଇ ନିଜେ ଟେଲରିଂ ଶିକ୍ଷା ଆରମ୍ଭ କଲେ । ୨୦୦୬ ମସିହାର ଏକ ସଡକ ଦୁର୍ଘଟଣା ତାଙ୍କୁ ଦିବ୍ଯାଙ୍ଗ ସଜାଇଦେଲା । ହେଲେ,ଏହାପରେ ସେ ପଛକୁ ହଟି ନଥିଲେ । ନିଜେ ଏକ ସିଲେଇ ଶିକ୍ଷାକେନ୍ଦ୍ର ଆରମ୍ଭ କରି ସେଠାରେ ମହିଳାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ଗତ ୨୦ ବର୍ଷ ଧରି ସେ ଶତାଧିକ ମହିଳାଙ୍କୁ ସିଲେଇ ପ୍ରଶିକ୍ଷଣ ଦ୍ଵାରା ରୋଜଗାରକ୍ଷମ କରି ପାରିଛନ୍ତି ।
ଅଭାବ ଅନଟନ ହେଉ ଅବା ଶାରୀରିକ ଅବସ୍ଥା, ଏସବୁ ଅଙ୍କୁରଙ୍କ ଉନ୍ନତିରେ ପ୍ରତିବନ୍ଧକ ସାଜି ପାରିନାହିଁ । ବରଂ ଏ ସବୁ ସହ ଲଢ଼ି ସେ ସୃଷ୍ଟି କରି ପାରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ ଏବଂ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ।