ଚୈତ୍ର ମାସ ମଙ୍ଗଳବାରରେ ଗାଁ ଗାଁ ବୁଲୁଛନ୍ତି ଘଟକାଳିସୀ, ପଚାସ ବର୍ଷ ଧରି କରୁଛନ୍ତି ପରମ୍ପରାର ପ୍ରଚାର
ଏହି ଚୈତ୍ର ମାସ ଆସିଲେ ମାଆ ମଙ୍ଗଳାଙ୍କ ଚଳନ୍ତି ପ୍ରତିମାଙ୍କୁ ଧରି ଗାଁ ଦାଣ୍ଡରେ ନୃତ୍ଯ ପରିବେଷଣ କରିଥାନ୍ତି କଟକ ଜିଲ୍ଲାର ଅନୁଆରୀ ପଞ୍ଚାୟତ ବାଇଗେଣୀ ଗାଁର ଜଣେ ଭକ୍ତ ।

ବେଗୁନିଆ କେନ୍ୟୁଜ୍: (ଦୁର୍ଗାପ୍ରସାଦ ଦାସ): ଆଜି ଚୈତ୍ର ମାସ ମଙ୍ଗଳବାର। ବିଶେଷକରି ମଙ୍ଗଳବାରରେ ଦେଖିବାକୁ ମିଳେ ମାଆ ମଙ୍ଗଳାଙ୍କ ଓଷା। ଆଉ ଚୈତ୍ରମାସ ହେଉଛି ମାଆ ମଙ୍ଗଳାଙ୍କ ପ୍ରିୟ ମାସ ବୋଲି କୁହାଯାଏ । ଏ ନେଇ ଗାଁ ଗାଁରେ ଦେଖିବାକୁ ମିଳନ୍ତି ଘଟ କାଳିସୀ । ଏହି ଚୈତ୍ର ମାସ ଆସିଲେ ମାଆ ମଙ୍ଗଳାଙ୍କ ଚଳନ୍ତି ପ୍ରତିମାଙ୍କୁ ଧରି ଗାଁ ଦାଣ୍ଡରେ ନୃତ୍ଯ ପରିବେଷଣ କରିଥାନ୍ତି କଟକ ଜିଲ୍ଲାର ଅନୁଆରୀ ପଞ୍ଚାୟତ ବାଇଗେଣୀ ଗାଁର ଜଣେ ଭକ୍ତ ।
ଯାହାଙ୍କର ଏହି ନୃତ୍ୟ ଦେଖବା ସହିତ ମାଆଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। ଆଜି ପବିତ୍ର ଚୈତ୍ର ଶେଷ ମଙ୍ଗଳବାର ଅବସରରେ ଏହି ଘଟ କଳସୀ ଧରି ବେଗୁନିଆ ଅଞ୍ଚଳର ବିଭିନ୍ନ ଗାଁର ପହଞ୍ଚିଛନ୍ତି । ମାଆ ମଙ୍ଗଳାଙ୍କ ବେଶ ପରିଧାନ କରି ମଙ୍ଗଳାଙ୍କ ବିଭିନ୍ନ ଭକ୍ତି ଗୀତ ଗାଇ ନୃତ୍ୟ ଗାଁ ଦାଣ୍ଡରେ ପରିବେଷଣ କରିଥାନ୍ତି । ଯାହାକି ଗ୍ରାମାଞ୍ଚଳରେ ଘଟ କଳସୀ ଭାବେ ପରିଚିତ।
ଡହଡହ ଖରାରେ ଖାଲି ଗୋଡରେ ମାଆଙ୍କର ପ୍ରତିମା ହାତ ଏବଂ ମୁଣ୍ଡ ଉପରେ ରଖି ଅତ୍ୟନ୍ତ ନିଷ୍ଠାର ସହିତ ପରିବେଷଣ କରିଥାନ୍ତି। ଯାହାକି ଅତ୍ୟନ୍ତ ହୃଦୟସ୍ପର୍ଶୀ ।ଗ୍ରାମାଞ୍ଚଳରେ ଲୋକମାନେ ମାଆ ମଙ୍ଗଳାଙ୍କ ଗାଁ ଦାଣ୍ଡରେ ଆବିର୍ଭାବ ବିବେଚନା କରି ଧୂପ ଦୀପ, ଭୋଗରାଗ ପ୍ରଦାନ କରିଥାଆନ୍ତି । ଏପରିକି କିଛି ଲୋକ ନୂଆବସ୍ତ୍ର ଇତ୍ୟାଦି ସମର୍ପଣ କରିଥାନ୍ତି । ବିଶ୍ବାସ ଅଛି ଏହି ନୂତନ ବସ୍ତ୍ର ଉପରେ ମାଆ ମଙ୍ଗଳା ଚାଲି ନୃତ୍ୟ ପରିବେଷଣ କଲେ ଏହି ବସ୍ତ୍ର ଯିଏ ପରିଧାନ କରିବ ତାର ଶୁଭଫଳ ମିଳେ। ପରେ ଘଟ କାଳିସୀଙ୍କ ଚାମର ଆଶୀର୍ବାଦ ସହିତ ପାଦୁକ ପ୍ରଦାନ କରି ଗ୍ରାମର ମଙ୍ଗଳ କାମନା କରି ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ତେବେ ଏପରି ଏକ ପରମ୍ପରା ଚୈତ୍ର ମାସରେ ଦେଖିବାକୁ ମିଳୁଥିବା ବେଳେ କଟକ ଜିଲ୍ଲା ବାଇଗେଣୀ ଗାଁର ଏହି କାଳିସୀ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ବ ତାଙ୍କ ପୂର୍ବପୁରୁଷଙ୍କ ଅମଳରୁ କରିଚାଲୁଥିବା କହିଛନ୍ତି ।