Below header

ବାହାଘର ପୂର୍ବରୁ କନ୍ୟା ଆଖି ଆଗରେ ବରକୁ ଅପହରଣ

ପୁରୀ (କେନ୍ୟୁଜ) : ବଉଳାପାଟ ପିନ୍ଧି ଥାନାରେ ମଙ୍ଗୁଳା କନ୍ୟା। ଅଭିଯୋଗ ନେଇ ଆସିଛି ଯେ ବାହାଘର ପୂର୍ବରୁ ଅପହରଣ ହୋଇଗଲା ବର। ମଙ୍ଗୁଳା ପାଟ ପିନ୍ଧି ନ୍ୟାୟ ପାଇଁ ପୁରୀ ଏସପି ଅଫିସ ସମ୍ମୁଖରେ ୨୧ବର୍ଷୀୟା ଯୁବତୀ । ମନ୍ଦିରରେ ବାହାଘର ଠିକ ହୋଇଥିଲା। କନ୍ୟା ଘର ପ୍ରସ୍ତୁତ ହୋଇ ଅପେକ୍ଷା କରିଥିଲେ ବରକୁ, ସବୁ କିଛି ଠିକଠାକ୍ ଥିଲା। କିନ୍ତୁ ହଠାତ୍ ସ୍ଥିତି ବଦଳିଗଲା। ବାହାଘରରେ ହାତ ଗଣ୍ଠି ପଡିବା ପୂର୍ବରୁ ବର ହୋଇଗଲା ଉଭାନ୍‌ । ଅଭିଯୋଗ ହୋଇଛି ଯେ ତାଙ୍କୁ ଅପହରଣ କରି ନିଆଯାଇଛି । ପୁରୀ ସମୁଦ୍ରକୂଳ ଥାନାରେ ଏନେଇ ଅଭିଯୋଗ କରିଛନ୍ତି ମଙ୍ଗୁଳା କନ୍ୟା।

ସୂଚନା ଅନୁଯାୟୀ ମହାବାତ୍ୟା ଫନି ସମୟରୁ ଏହି ଯୁବତୀ ରୁବିଙ୍କ ସହ ବଳିଆପଣ୍ଡାରେ ରହୁଥିବା ଦୀପ୍ତିରଞ୍ଜନ ଦାସଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁଇ ବର୍ଷର ପ୍ରେମ ପରେ ଗତ ୨ ତାରିଖରେ ଉଭୟ କୋର୍ଟରେ ବାହା ହେଲେ। ବାହାଘର ପରେ ଦୀପ୍ତିରଞ୍ଜନ ରୁବିଙ୍କୁ ତାଙ୍କ ଘରକୁ ନେଇ ଯାଇଥିଲେ କିନ୍ତୁ ଘର ଲୋକ ଉଭୟଙ୍କ ବିବାହକୁ ସ୍ୱୀକାର ନ କରି ସେମାନଙ୍କୁ ଘରେ ପୂରାଇ ଦେଲେନି।

ଶାଶୁଘର ଲୋକଙ୍କ ଠାରୁ ନିରାଶ ହୋଇ ରୁବି ସ୍ୱାମୀଙ୍କ ସହ ନିଜ ବାପ ଘରେ ରହୁଥିଲେ। ଏହାପରେ ଦୀପ୍ତିରଞ୍ଜନଙ୍କ ପରିବାର ଲୋକେ କହିଲେ ଯେ ୬ ତାରିଖରେ ଉଭୟଙ୍କର ବୈଦିକ ରୀତିରେ ବିବାହ ହେବ। ପୁରୀ ନବକଳେବର ରୋଡରେ ଥିବା ଆଖଣ୍ଡଳମଣି ମନ୍ଦିରରେ ଏହି ବାହାଘର ହେବ ବୋଲି ଠିକ ହୋଇଥିଲା। ସବୁ ରୀତିନୀତି କରାଯାଇ ଯୁବତୀ ଜଣଙ୍କ ମଙ୍ଗୁଳା କନ୍ୟା ହୋଇଥିଲେ। ତେବେ ବିବାହ ପାଇଁ ମନ୍ଦିରକୁ ଯିବା ପୂର୍ବରୁ ଉଭୟ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ସେଠାରେ ଦୀପ୍ତିରଞ୍ଜନଙ୍କ ବାପା ଓ ମା’ଙ୍କ ସମେତ ଆଉ କିଛି ସହଯୋଗୀ ମିଶି ରୁବିଙ୍କୁ ଠେଲାପେଲା କରି ଜୋର ଜବରଦସ୍ତ ଦୀପ୍ତିରଞ୍ଜନଙ୍କୁ ଉଠାଇ ନେଲେ।

ମଙ୍ଗୁଳା ହୋଇସାରିଥିବା ରୁବି କିଛି ଉପାୟ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ନିଜ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପୋଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ସେହି କନିଆ ବେଶରେ ଏସପିଙ୍କୁ ମଧ୍ୟ ଗୁହାରୀ କରିଛନ୍ତି । ପୋଲିସ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। ସେପଟେ ବର ଘର ଲୋକଙ୍କ ପ୍ରତିକ୍ରିୟା ମିଳି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.