Below header

ରତ୍ନଭଣ୍ଡାରର ରତ୍ନ ଗଣତି ମାମଲା: ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଘୁଞ୍ଚିଲା ଶୁଣାଣି

ଆମିକସ କ୍ୟୁରୀ ଜଗମୋହନ ମରାମତି ଓ ନାଟ୍ୟ ମଣ୍ଡପ ମରାମତି କାମ ନେଇ ଏହି ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିଛନ୍ତି। ହାଇକୋର୍ଟରେ ଏ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରି ମହାପ୍ରଭୁଙ୍କ ଭିତର, ବାହାର ଓ ଚଳନ୍ତି ରତ୍ନଭଣ୍ଡାରର ରତ୍ନ ଠିକ ଠାକ ରହିଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି

କଟକ(କେନ୍ୟୁଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନଭଣ୍ଡାର ଖୋଲି ରତ୍ନଭଣ୍ଡାରର ରତ୍ନ ଗଣତି ଓ ହିସାବ ପାଇଁ ହାଇକୋର୍ଟରେ ଦାୟର ହୋଇଥିବା ମାମଲାରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି ଘୁଞ୍ଚିଛି। ଆଇନଜୀବୀ ଦିଲ୍ଲୀପ ମହାପାତ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଥିବା ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ଶ୍ରୀମନ୍ଦିର ମରାମତି ଓ ଜଗମୋହନ ମରାମତି ନେଇ ହାଇକୋର୍ଟଙ୍କ ଦ୍ଵାରା ପୂର୍ବରୁ ନିଯୁକ୍ତ ଆମିକସ କ୍ୟୁରୀଙ୍କ ପକ୍ଷରୁ ହାଇକୋର୍ଟରେ ମରାମତି କାମ ନେଇ ରିପୋର୍ଟ ଦାଖଲ ହୋଇଛି।

ଆମିକସ କ୍ୟୁରୀ ଜଗମୋହନ ମରାମତି ଓ ନାଟ୍ୟ ମଣ୍ଡପ ମରାମତି କାମ ନେଇ ଏହି ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିଛନ୍ତି। ହାଇକୋର୍ଟରେ ଏ ନେଇ ଦାୟର ଜନସ୍ୱାର୍ଥ ମାମଲାରେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସତ୍ୟପାଠ ଦାଖଲ କରି ମହାପ୍ରଭୁଙ୍କ ଭିତର, ବାହାର ଓ ଚଳନ୍ତି ରତ୍ନଭଣ୍ଡାରର ରତ୍ନ ଠିକ ଠାକ ରହିଛି ବୋଲି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ତେଣୁ ଭିତର ରତ୍ନଭଣ୍ଡାର ଖୋଲାଯିବା ବା ଏଥିପାଇଁ କମିଟି ଗଠନ କରିବାର ଆବଶ୍ୟକତା ଏବେ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ୧୯୭୮ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ରତ୍ନର ହିସାବ ହୋଇଥିଲା। ସତ୍ୟପାଠରେ ଦର୍ଶାଯାଇଛି ୧୪୯ କେଜି ୪୬୦ ଗ୍ରାମ ସୁନା ଓ ୧୮୪ କେଜି ରୂପା ରହିଛି। ଜଗନ୍ନାଥଙ୍କର ତିନୋଟି କାଟାଗୋରୀରେ ରତ୍ନ ଗଛିତ ଥିବା ବେଳେ କାଟାଗୋରୀ ୧ ବା ଭିତର ରତ୍ନଭଣ୍ଡାର ରତ୍ନ ମହାପ୍ରଭୁଙ୍କ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଏ ନାହିଁ।

କାଟାଗୋରୀ ୨ ବା ବାହାର ରତ୍ନ ଭଣ୍ଡାରରୁ ପର୍ବ ପର୍ବାଣୀ ରେ ବ୍ୟବହାର କରାଯାଉଥିବା ବେଳେ ଚଳନ୍ତି ରତ୍ନଭଣ୍ଡାର ବା କାଟାଗୋରୀ ୩ ରତ୍ନଭଣ୍ଡାରରୁ ଭଗବାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ରତ୍ନ ରହିଥାଏ। ରତ୍ନଭଣ୍ଡାର ଖୋଲିବା ନେଇ ଦିଲ୍ଲୀପ କୁମାର ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏ ସମ୍ପର୍କୀତ ତଥ୍ୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଏହି ସତ୍ୟପାଠ ହାଇକୋର୍ଟରେ ଦାଖଲ କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ କରିବେ ବୋଲି ଧାର୍ଯ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.