Below header

ଜଙ୍ଗଲ ବିଭାଗର ଜଙ୍ଗଲି ରାଜ୍‌, ଜେସିବି ମେସିନ ସାହାଯ୍ୟରେ ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ୩ କିଲୋମିଟର ରାସ୍ତା ନିର୍ମାଣ

ରାଜନଗର: ଜଙ୍ଗଲ ବିଭାଗର ଜଙ୍ଗଲି ରାଜ୍‌ । ଆଇନ କାନୁନକୁ ଫୁ କରି ଉଡ଼ାଇ ଦେଇଛନ୍ତି ଜଙ୍ଗଲିବାବୁ । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଉଚ୍ଚ ସ୍ୱରରେ କଥା ହେବା ମନା । ଏପରିସ୍ଥଳେ ଜେସିବି ମେସିନ ସାହାଯ୍ୟରେ କିପରି ଏଠାରେ ରାସ୍ତା ନିର୍ମାାଣ କରାଗଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ୍ୟଜନ୍ତୁ ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍‌ ।

ଦେଖନ୍ତୁ ଏହି ଭିଡିଓକୁ। କିପରି ଜେସିବି ମେସିନ ସାହାଯ୍ୟରେ ଭିତରକନିକା ଜାତୀୟ ଉଦ୍ୟାନ ବରୁଣେଇ ଜଙ୍ଗଲରେ ନିର୍ମାଣ କରାଯାଇଛି ରାସ୍ତା। ଜଙ୍ଗଲ ଭିତରେ ପାଦଚଲା ରାସ୍ତା ନିର୍ମାଣ କରାଯାଇଛି ଜେସିବି ମେସିନ ସାହାଯ୍ୟରେ। ଶହେ କି ଦୁଇ ଶହ ମିଟର ନୁହେଁ, ଲକ୍ଷାଧିକ ଟଙ୍କା ବିନିମୟରେ ପ୍ରାୟ ୩ କିଲୋମିଟର ରାସ୍ତା ତିଆରି ହୋଇଛି। ୧୯୭୨ ବନ୍ୟପ୍ରାଣୀ ଆଇନ ଅନୁଯାୟୀ, ଜାତୀୟ ଉଦ୍ୟାନ ମଧ୍ୟରେ ଜୀବଜନ୍ତୁଙ୍କ ବିଚରଣ ଉପରେ ଯେପରି ପ୍ରଭାବ ନପଡ଼ିବ, ସେଥିପାଇଁ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ି ଚଳପ୍ରଚଳ ଉପରେ ପ୍ରତିବନ୍ଧ ଲଗାଯାଇ ବ୍ୟାଚେରୀ ଚାଳିତ ଗାଡ଼ି ବ୍ୟବହାର ହେଉଛି। ଏପରିସ୍ଥଳେ ଜେସିବି ଲଗାଯାଇ କିପରି ୩ କିଲୋମିଟର ରାସ୍ତା ନିର୍ମାଣ କରାଗଲା, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବେଶବିତ୍‌।

ଜେସିବି ମେସିନ ସାହାଯ୍ୟରେ ଭିତରକନିକା ଜାତୀୟ ଉଦ୍ୟାନ ବରୁଣେଇ ଜଙ୍ଗଲରେ ରାସ୍ତା ନିର୍ମାଣ କରାଯିବାର ଦୃଶ୍ୟ ଆମ ପାଖରେ ଥିବାବେଳେ, ରାଜନଗର ରେଞ୍ଜ ଅଫିସର ସୁଜିତ କୁମାର ସାହୁ କିନ୍ତୁ ଏହାକୁ ମାନିବାକୁ ଆଦୌ ପ୍ରସ୍ତୁତ ନୁହନ୍ତି । ଜେସିବି ଲଗାଯିବା କଥାକୁ ସେ ଦୃଢତାର ସହ ଖଣ୍ଡନ କରିଛନ୍ତି। ଜାତୀୟ ଉଦ୍ୟାନ ମଧ୍ୟରେ ଜେସିବି ଲଗାଇ କାମ ହୋଇଥିବାର ଚିତ୍ର ଥିବାବେଳେ ରେଞ୍ଜ ଅଫିସର କାହିଁକି ଏହାକୁ ଖଣ୍ଡନ କରୁଛନ୍ତି, ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.