Below header

ଏଇ ଆମ ରାଜଧାନୀରେ : ମତ୍ସ୍ୟକନ୍ୟା ପାଲଟିଗଲା ଲତାକନ୍ୟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସୁନ୍ଦର ମୂର୍ତ୍ତିଟିଏ । ଦେଖିଲେ ଲାଗିବ କେଉଁ ଜଣେ ଦକ୍ଷ ଶିଳ୍ପୀ ତାକୁ ତିଆରି କରିଛି । ଆଉ ତାକୁ ଭିନ୍ନ ଏକ ରୂପ ଦେବା ଲାଗି ତା ଉପରେ ଲତା ମଡ଼ାଇ ଦିଆଯାଇଛି । ନାଇଁ ଆଜ୍ଞା ! ଏଭଳି ଭାବନ୍ତୁ ନାହିଁ । କାରଣ ଇଏ ଲତାକନ୍ୟା ନୁହେଁ । ଇଏ ହେଉଛି ମତ୍ସ୍ୟକନ୍ୟା । ଯିଏ ସମୟକ୍ରମେ ମତ୍ସ୍ୟକନ୍ୟାରୁ ଲତାକନ୍ୟା ପାଲଟି ଯାଇଛି । ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ରାସ୍ତାଗୁଡ଼ିକରେ ଏମିତି ସୁନ୍ଦର ସୁନ୍ଦର ମୂର୍ତ୍ତି ସବୁ ତିଆରି କରାଯାଇଥିଲା । ତିଆରି ପରେ ବେଶ୍‌ କିଛି ଦିନ ଲୋକଙ୍କୁ ଆକର୍ଷିତ ମଧ୍ୟ କଲା । ହେଲେ ଏହାର ରକ୍ଷଣା ବେକ୍ଷଣ କରାଗଲା ନାହିଁ । ଭୁବନେଶ୍ୱର ମହାନଗର ନିଗମର ମହାଭୁଲ ଯୋଗୁଁ ବିଚରା ସଫେଦ ରଙ୍ଗର ମତ୍ସ୍ୟକନ୍ୟା ମୂର୍ତ୍ତିଟି ସବୁଜିମାରେ ଭରିଗଲା । ଏହାର ଦେହରେ ଅନାବନା ଗଛ ଲତା ସବୁ ମାଡ଼ି ଯାଇଛି । ତଥାପି ହସୁଛି ସିଏ । ଗଲା ଆସିଲା ବେଳେ ଟିକେ ନିରିଖେଇ ଦେଖନ୍ତୁ ତ କନ୍ୟାଟି ସବୁ ଦୁଃଖକୁ ସାଉଣ୍ଟି ତଥାପି ହସୁଛି ନା ତାକୁ ଏଭଳି ଭାବେ ସଜା ଯାଇଥିବାରୁ ବିଦ୍ରୂପ କରୁଛି ?
କେହି ଜଣେ ହାସ୍ୟ କରି କହିଲେ, ପ୍ରଦୂଷଣ ବଢୁଛି ତ ତେଣୁ ଯେଉଁଠି ହେଲେ କିଛି ଗଛ ଥାଉ । କିଛି ସବୁଜିମା ରହିଲେ ଅନ୍ତତଃ ପ୍ରଦୂଷଣ କମିଯିବ । ସେଥି ଲାଗି ବିଏମ୍‌ସି କର୍ମଚାରୀ ଏହାକୁ ଏଡ଼ାଇ ଯାଉଛନ୍ତି । ସତରେ ଏଇ ମତ୍ସ୍ୟକନ୍ୟା ଭଳି ରାଜଧାନୀର ଅନେକ ସୁନ୍ଦରତା ଏମିତି ହଜିଯିବାକୁ ବସିଲାଣି । କଣ ବିଏମ୍‌ସି ଅଧିକାରୀଙ୍କ ଦୃଷ୍ଟିକୁ ଏକଥା ଅସେନାହିଁ କି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.