ବସିଲା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ହେଲେ ଶ୍ରୀମନ୍ଦିର ଚାରି ଦ୍ୱାର କେବେ ଖୋଲିବ ତାହା ସ୍ପଷ୍ଟ ହୋଇନାହିଁ

ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଥିଲେ ମଧ୍ୟ ସିଂହଦ୍ୱାର ବ୍ୟତୀତ ଅନ୍ୟ କେଉଁ ଦ୍ୱାର ଖୋଲିବ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବିସ୍ତୃତ ଭାବେ ଆଲୋଚନା ସହ ଅନେକ ମତାମତ ଆସିଛି ।

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚାରି ଦ୍ୱାର କେବେ ଖୋଲିବ ତାହା ସ୍ପଷ୍ଟ ହୋଇନାହିଁ । ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଥିଲେ ମଧ୍ୟ ସିଂହଦ୍ୱାର ବ୍ୟତୀତ ଅନ୍ୟ କେଉଁ ଦ୍ୱାର ଖୋଲିବ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବିସ୍ତୃତ ଭାବେ ଆଲୋଚନା ସହ ଅନେକ ମତାମତ ଆସିଛି । ଏସବୁକୁ ନେଇ ଏକ ସବ୍‌ କମିଟି ଗଠନ କରାଯାଇଛି । ସବ୍‌ କମିଟି ବୈଠକ ବସିବା ପରେ ନିଷ୍ପତ୍ତି ସମ୍ପର୍କରେ ଜଣାଯିବ ।

ସବ୍‌ କମିଟିରେ ବରିଷ୍ଠ ସେବାୟତଙ୍କ ସହ ଉପ ଜିଲ୍ଲାପାଳ,ପୋଲିସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ସେବାୟତଙ୍କ ଭିନ୍ନ ଭିନ୍ନ ପ୍ରସ୍ତାବ ଆସିଥିବାରୁ ସବ କମିଟି ବୈଠକରେ ସମସ୍ତ ଦିଗକୁ ନେଇ ତର୍ଜମା କରାଯିବ । ତେବେ ଖୁବଶୀଘ୍ର ପୁରୀ ବାସୀଙ୍କ ପାଇଁ ପଶ୍ଚିମ କିମ୍ବା ଦକ୍ଷିଣ ଦ୍ୱାର ଖୋଲିବାର ସମ୍ଭାବନା ରହିଛି । ଓବିସିସି ପକ୍ଷରୁ ହେଉଥିବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟରେ ଶ୍ରୀମନ୍ଦିରରେ ଆସନ୍ତା ବୁଧବାର ବନକ ଲାଗି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।