Below header

ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପରଲୋକ, ପାଞ୍ଚଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ

ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପରଲୋକ

ଯାଜପୁର ଟାଉନ୍‌/ଭୁବନେଶ୍ୱର (କେନ୍ୟୁଜ୍‌) : ଯାଜପୁରର ପୂର୍ବତନ ସାଂସଦ ଅନାଦି ଦାସଙ୍କ ପରଲୋକ । ଆଜି ସନ୍ଧ୍ୟାରେ ୮୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।
ପ୍ରଥମେ ୧୯୭୧ ଏବଂ ପରେ ୧୯୮୦ ଓ ୧୯୮୪ରେ ଅନାଦି ଦାସ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ି ତିନି ତିନିଥର ସାଂସଦ ହୋଇଥିଲେ । ପୁଣି ୧୯୮୯ ଏବଂ ୧୯୯୧ରେ ଜନତା ଦଳରୁ ପ୍ରାର୍ଥୀ ହୋଇ ମୋଟ୍‌ ପାଞ୍ଚଥର ସାଂସଦ ହୋଇଥିଲେ । ତେବେ ୧୯୯୩ରେ ଏକ ବିବାଦୀୟ ପରିସ୍ଥିତିରେ ସେ ପୁଣି କଂଗ୍ରେସରେ ଯୋଗ ଦେଇଥିଲେ । ସେତେବେଳର ନରସୀମା ରାଓ ସରକାରକୁ ବଞ୍ଚାଇବା ପାଇଁ ସେ ଅନାସ୍ଥା ପ୍ରସ୍ତାବ ଆଗତ ବେଳେ ରାମଲଖନ ସିଂହ ଯାଦବଙ୍କ ଗୋଷ୍ଠୀ ସହିତ କଂଗ୍ରେସକୁ ସମର୍ଥନ କରିଥିଲେ ।

୧୯୩୫ ମସିହା ଜାନୁଆରୀ ୪ ତାରିଖରେ ଯାଜପୁର ଦଶରଥପୁର ବ୍ଲକ୍‌ ଖଣ୍ଡରା ପଞ୍ଚାୟତ ବିଜିପୁର ଗାଁରେ ଅନାଦି ଦାସଙ୍କ ଜନ୍ମ । ଅନାଦିଙ୍କ ପୁଅ ଅର୍ଜୁନ ଦାସ ମଧ୍ୟ ବିଧାୟକ ଥିଲେ । ତେବେ କିଛି ମାସ ତଳେ ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା । ପୂର୍ବରୁ ତାଙ୍କ ସାନପୁଅ ଶରତ ଦାସଙ୍କର ମଧ୍ୟ ପରଲୋକ ହୋଇଥିଲା । ଜଣେ ଅମାୟିକ ଓ ସରଳ ବ୍ୟକ୍ତି ଭାବେ ପରିଚିତ ଥିଲେ ଅନାଦି ଦାସ । ତାଙ୍କ ବିୟୋଗରେ ବିଭିନ୍ନ ଦଳର ନେତୃବର୍ଗ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.