ମାଓବାଦୀଙ୍କ ଉଦ୍ୟମକୁ ପଣ୍ଡ କଲା ଗଜପତି ପୋଲିସ ! ଉଦ୍ଧାର କଲା ଦୁଇଟି ଅଫୁଟା ଲ୍ୟାଣ୍ଡମାଇନ

ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକ ଗ୍ରାମ ନିକଟରେ ଦୁଇଟି ଲ୍ୟାଣ୍ଡ ମାଇନ ଉଦ୍ଧାର କରିଛି ଗଜପତି ଜିଲ୍ଲା ପୋଲିସ ।ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମାଓବାଦୀ ମାନେ ଷଡଯନ୍ତ୍ର କରି ଲ୍ୟାଣ୍ଡମାଇନକୁ ପୋଲ ତଳେ ଖଞ୍ଜିଥବା ଜଣା ପଡିଛି ।
ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ କହିବା ମୁତାବକ ଅନ୍ଧାରି ଘାଟି ପୋଲ ତଳେ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିଛାଯାଇଥିବାର ପ୍ରଥମେ ଖବର ଆସିଥିଲା । ଆଉ ଖବର ମିଳିବା ସଙ୍ଗେ ସଙ୍ଗେ ବୋମା ନିଷ୍କ୍ରିୟକାରୀ ଟିମ ସହ ଜିଲ୍ଲା ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ଯାଞ୍ଚବେଳେ ଦୁଇଟି ଅଫୁଟା ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ ବୋମା ନିଷ୍କ୍ରିୟକାରୀ ଟିମ । ପୁର୍ବରୁ ମଧ୍ୟ ଅନୁରୁପ ଭାବେ ୨୦୧୦ ମସିହାରେ ସେହି ଜାଗାରେ ଜବାନ ମାନଙ୍କ ଗାଡିକୁ ଲ୍ୟାଣ୍ଡମାଇନରେ ଉଡାଇଦେଇଥିଲେ ମାଓବାଦୀ ମାନେ । ଯେହେତୁ ଆଗକୁ ନିର୍ବାଚନ ଆସୁଛି ତେଣୁ ନିଜ ସ୍ଥିତି ଜାହିର କରିବା ପାଇଁ ମାଓବାଦୀ ମାନେ ଏଭଳି କାମ କରୁଥିବାର ଜଣା ପଡିଛି । ତେବେ ଘଟଣା ଉପରେ କଡା ନଜର ରଖାଯାଇ କୁମ୍ବି ଅପରେସନକୁ ଜୋରଦାର କରାଯାଇଛି ବୋଲି ଗଜପତି ଜିଲ୍ଲା ଏସପି ସୂଚନା ଦେଇଛନ୍ତି ।