Below header

କଟକ ସେଲଟର ହୋମରୁ ଦରିଆପାରି ସ୍ପେନ୍ : ଲକ୍ଷ୍ମୀ ବୁଲି ଆସିଲେ ୧୮ ବର୍ଷ ପରେ

କଥାରେ ଅଛି କାହାର ଭାଗ୍ୟରେ କଣ ଥାଏ ତାହା କେବଳ ସେଇ ଈଶ୍ବରଙ୍କୁ ହିଁ ଜଣା । ଆଜି ଯିଏ ଫକୀର କାଲି କି ସିଏ ବସେ ରାଜା  ଆସନରେ। କିଛି ଏଭଳି ଘଟିଛି ଓଡ଼ିଆ ଝିଅ ଲକ୍ଷ୍ମୀଙ୍କ ଭାଗ୍ୟରେ । କାଲିର ବେସାହାରା ଶିଶୁ ଆଜି ସ୍ପେନର ଏକ ଟିଭି ଚ୍ୟାନେଲର ଆଡମିନଷ୍ଟ୍ରେଟର । ଓଡିଶାର ବସୁନ୍ଧରା ଅନାଥ ଆଶ୍ରମରୁ ସ୍ପେନ୍। ସାଧାରଣ ଝିଅରୁ ହେଲେ ଟିଭି ଚ୍ୟାନେଲର ବରିଷ୍ଠ ଅଧିକାରୀ । ଲକ୍ଷ୍ମୀଙ୍କ କାହାଣୀ କୌଣସି ସିନେମା ଠାରୁ କମ୍ ନୁହେଁ ।

ଦୀର୍ଘ ୧୮ ବର୍ଷ ପରେ ପିଲା ଦିନ କଟାଇଥିବା ଅନାଥଶ୍ରମ ବସୁନ୍ଧରା ବୁଲି ଦେଖିଛି ଓଡ଼ିଆ ଝିଅ ଲକ୍ଷ୍ମୀ । ପୁରୁଣା ସ୍ମୃତି ମନେ ପକାଇଛନ୍ତି । ତାଙ୍କୁ ପିଲା ବେଳେ ଉଦ୍ଧାର କରିଥିବା କ୍ଲବର ଯୁବକଙ୍କୁ ଭେଟିଛନ୍ତି । ପିଲା ଦିନର କଥା ମନେ ପଡିବାରୁ ମାସେ ଛୁଟିରେ ଭାରତ ବୁଲି ଆସିଛନ୍ତି ଲକ୍ଷ୍ମୀ । ଆଠ ବର୍ଷ ବୟସରେ ମାଲିକାଣୀର ଶାରୀରିକ ଯନ୍ତ୍ରଣା ସହି ନ ପାରି ଚାଲି ଆସିଥିଲା ମାଆ ଛେଉଁଣ୍ଡ ଲକ୍ଷ୍ମୀ । ଦେହ ସାରା ଥିଲା ନିଆଁ ଚେଙ୍କ ଓ ମାଲିକାଣି ନିର୍ଯାତନାର ଚିହ୍ନ ।

LAXMI-2

କଟକ ମଣିସାହୁ ଛକରେ ନିରାଶ୍ରୟ ଅବସ୍ଥାରେ ଦେଖିବା ପରେ ଏନ୍ଓ୍ଵାନ କ୍ଲବର କିଛି ଯୁବକ ତାଙ୍କୁ କଟକ ବିଡାନାସୀର ବସୁନ୍ଧରା ସେଲଟର ହୋମକୁ ହସ୍ତାନ୍ତର କରିଥିଲେ । ଇଏ ହେଉଛି ୧୯୯୮ମସିହାର କଥା । ବସୁନ୍ଧରାରେ ୨ ବର୍ଷ ରହିବା ପରେ ସ୍ପେନର ଏକ ଦମ୍ପତି ଲକ୍ଷ୍ମୀଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ । ସେବେଠାରୁ ଲକ୍ଷ୍ମୀ ସେପାନଙ୍କ ସହ ଚାଲିଯାଇଥିଲେ ଦରିଆପାରି ସ୍ପେନ । ଲକ୍ଷ୍ମୀର ନୂଆ ପରିଚୟ ହେଲା ମାରିଆ ଲକ୍ଷ୍ମୀ ଆନନ୍ଦସ୍ତେ । ସେଠାରେ ପାଠ ପଢିଲେ । ସାମ୍ବାଦିକତାରେ ଡିଗ୍ରୀ ହାସଲ କଲେ । ମାସ୍ କମ୍ୟୁନିକେସନ ଓ ଜର୍ଣ୍ଣାଲିଜମ ପଢିଲେ । ଏବେ ସ୍ଥାନୀୟ ଏକ ଟିଭି ଚ୍ୟାନେଲର ଆଡମିନିଷ୍ଟେଟର ଭାବେ କାମ କରୁଛନ୍ତି । ଲକ୍ଷ୍ମୀ ବସୁନ୍ଧରାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ଜଣାଇଥିଲେ ସମସ୍ତେ । ଖୁବ୍ ଖୁସି ହୋଇଥିଲେ ତାଙ୍କୁ ଦେଖି । ଠିକ୍ ସେହିଭଳି ଲକ୍ଷ୍ମୀ ମଧ୍ୟ ଆନନ୍ଦରେ ଆତ୍ମହରା ହୋଇପଡ଼ିଥିଲେ । ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଆସି ଯାଇଥିଲା ଲୁହ । ପିଲା ବେଳର କଥା ମନେ ପକାଇଥିଲେ ଓ ନିଜର ସଫଳ କାହାଣୀ କହିଥିଲେ । ତାଙ୍କ ସହିତ ତାଙ୍କର ସ୍ପେନୀୟ ବାପା ମା ମଧ୍ୟ ଆସିଥିଲେ । ତେବେ ଏତେ ବର୍ଷ ଧରି ବିଦେଶରେ ରହିଥିବା ଯୋଗୁଁ ସେ ଆଉ ଓଡ଼ିଆ କହି ପାରୁ ନାହାନ୍ତି । ଛୁଟି ଶେଷ ହେବା ପୂର୍ବରୁ ପୁଣି ସ୍ପେନ୍ ଫେରିଯିବେ ଲକ୍ଷ୍ମୀ ।

LAXMI-3

ଲକ୍ଷ୍ମୀଙ୍କ ନିଜ ଘର ପାରାଦୀପରେ । ଛୋଟ ବେଳେ ମା ଆରପାରିକୁ ଚାଲିଗଲେ । ବାପା ଦ୍ବିତୀୟ ବିବାହ କରିବା ପରେ ସାବତ ମାର ଆରମ୍ଭ ହେଲା ଅତ୍ୟାଚାର । ଏହି ସମୟରେ କଟକର ଜଣେ ନର୍ସ ତାଙ୍କୁ ଘରକୁ ନେଇ ଆସି ଚାକରାଣୀ ଭାବେ ରଖିଲେ । ଏଠି ବି ନିର୍ଯାତନା ପିଛା ଛାଡ଼ି ନଥିଲା । ଭୋକ ଉପାସରେ ରହିବାକୁ ପଡୁଥିଲା । ଭୋକ ବିକଳରେ ଥରେ ଲୁଚାଇ ଲୁଚାଇ କ୍ଷୀର ଗ୍ଲାସଟିଏ ପିଉଥିବା ବେଳେ ଧରାପଡ଼ିଗଲେ । ତା ପରେ ଯେଉଁ ଅକଥନୀୟ ଅତ୍ୟାଚାର ହେଲା ସେଥିରେ ସେ ନର୍ସଙ୍କ ଘର ଛାଡ଼ି ଚାଲି ଆସିଥିଲେ । ବସୁନ୍ଧରାକୁ ଆସି ଏସବୁ କଥା ମନେ ପକାଇଥିଲେ ଲକ୍ଷ୍ମୀ । ଏନ୍ଓ୍ଵାନ କ୍ଲବର ସଦସ୍ୟ ଏବଂ ବସୁନ୍ଧରାର ଅନ୍ତେବାସୀ ତାଙ୍କ ସହ ସେଲଫି ଉଠାଇଥିଲେ । ହେଲେ ଲକ୍ଷ୍ମୀ ଯେ ସତରେ ଲକ୍ଷ୍ମୀଙ୍କ ସ୍ବରୂପ ଏକଥା ଏବେ ଆଲୋଚନା ହେଉଛି ସାରା କଟକ ସହରରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.