Below header

ମୁଁ ପଠାଇଥିବା ଦୁଇଟି ରାକ୍ଷୀ ମୋ ଦୁଇଭାଇ ଜଗା ବଳିଆକୁ ପିନ୍ଧାଇଦେବେ, ଆଉ ଦେଇଥିବା ଟଙ୍କାରେ ଲଡୁ ଖୁଆଇ ଦେବେ”… କୁନି ଝିଅର ପ୍ରଶାସନ ନିକଟକୁ ଚିଠି

କାଳିଆର କୁନି ଭଉଣୀ ଭଦ୍ରକର ସାଇ ସୁକନ୍ୟା ମହାନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ବଡ଼ ଠାକୁର ବଳଭଦ୍ର ଓ ଜଗନ୍ନାଥ ପାଇଁ ରାକ୍ଷୀ ପଠାଇ ଏବେ ଚର୍ଚ୍ଚାରେ । ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିଦେବାକୁ ଏକ ଆବେଗଭରା ଚିଠି ଲେଖିଛନ୍ତି ।

ପୁରୀ (କେନ୍ୟୁଜ): ରାକ୍ଷୀପୂର୍ଣ୍ଣିମା ଆସିଲେ ଭାଇ ହାତରେ ରାକ୍ଷୀବାନ୍ଧିବାକୁ ଭଉଣୀ ମନରେ ବେଶ୍ ଉତ୍ସାହ ଭରିଯାଇଥାଏ। ହେଲେ ଭଦ୍ରକ ଜିଲ୍ଲା ବାମନବିନ୍ଧା ଗ୍ରାମର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ସାଇ ସୁକନ୍ଯା ମହାନ୍ତି ପଠାଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଲାଗି ଦୁଇଟି ରାକ୍ଷୀ। ମହାପ୍ରଭୁଙ୍କ ପ୍ରେମ ଓ ଭକ୍ତିରେ ଏତେ ନିମଗ୍ନ ହୋଇଛନ୍ତି ଯେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଦୁଇଟି ରାକ୍ଷୀ ପଠାଇବା ସହିତ ୫ଶହ ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ଠିକଣାରେ ପଠାଇଛନ୍ତି। ତେବେ ସେ ଚିଠିଟି ନିଜ ହାତରେ ଲେଖିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଆସିଥିବା ଏହି ଚିଠିରେ କୁନି ଝିଅଟି ଲେଖିଛନ୍ତି “ଅଙ୍କଲ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ମୁଁ ପଠାଇଥିବା ଦୁଇଟି ରାକ୍ଷୀକୁ ମୋ ଦୁଇଭାଇ ଜଗା ବଳିଆକୁ ପିନ୍ଧାଇଦେବେ… ଆଉ ପଠାଇଥିବା ୫ଶହ ଟଙ୍କାରେ ଭାଇଭଉଣୀଙ୍କୁ ଲଡୁ ଖୁଆଇ ଦେବେ”। କୁନିଝିଅର ଏଭଳି ଭାବପୂର୍ଣ୍ଣ ଚିଠି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଉତ୍ତର ଦେବାକୁ ଭୁଲିଲେ ନାହିଁ ଶ୍ରୀମନ୍ଦିର ପ୍ରଶାସନ।

ସେପଟେ ଏହି ସ୍ପିଡପୋଷ୍ଟ ଶ୍ରୀମନ୍ଦିର କାର୍ଯ୍ଯାଳୟରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାହାକୁ ଭକ୍ତିପୂର୍ଣ୍ଣ ଭାବେ ଗ୍ରହଣ କରାଯାଇଥିଲା। ଏବଂ ଏହି ରାକ୍ଷୀ ଦୁଇଟିକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ। ଏଥିସହିତ ପାଞ୍ଚଶହ ଟଙ୍କାକୁ ଦାନ ଭାବେ ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁନିଝିଅ ପାଖକୁ ଏକ ଅଫିସିଆଲ ଲେଟର ପଠାଯାଇଛି। ମହାପ୍ରଭୁଙ୍କ ରଥକନା, ନିର୍ମାଲ୍ୟ, ରଥଦଉଡି, ରଥକାଠ ସମ୍ବଳିତ ଏକ ପ୍ଯାକେଟ ପଠାଯାଇଛି। କୁନିଝିଅର ଏଭଳି ମହାନ କାର୍ଯ୍ଯ ପାଇଁ ଶୁଭେଚ୍ଛା ଓ ଆଶିର୍ବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.