Below header

ଶ୍ମଶାନକୁ ନାହିଁ ରାସ୍ତା, ଶବ ସତ୍କାର ପାଇଁ ଭରା ନଈରେ ବୁହାହେଲା ମୃତଦେହ

ଭରା ନଈରେ ବୁହାହେଲା ମୃତଦେହ । ଗାଁ ଶ୍ମଶାନକୁ ଯିବା ଆସିବା ପାଇଁ କିଛି ସୁବିଧା ନଥିବାରୁ ନାକେଦମ୍ ହେଉଛନ୍ତି ଏହି ଗାଁ ଲୋକେ ।

କୋରାପୁଟ (କେନ୍ୟୁଜ୍):  ଗାଁକୁ ନାହିଁ ସବୁଦିନିଆ ସ୍ଥାୟୀ ପକ୍କା ରାସ୍ତାଟିଏ । ଯାହାଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ । ତେବେ ଦୁର୍ଗମ ଅଞ୍ଚଳରେ ରାସ୍ତା ନଥିବା କି ମୋବାଇଲ ନେଟୱାର୍କ ନଥିବା କଥା ଆମେ ସବୁ ଦିନ ଶୁଣି ଆସୁଛେ। ଆମ୍ବୁଲାନ୍ସ ନ ପହଞ୍ଚିପାରିବାରୁ କେମିତି ଯନ୍ତ୍ରଣାରେ ଛଟପଟ ହୋଇ ବହୁ କଷ୍ଟରେ ଗର୍ଭବତୀମାନେ ହସ୍ପିଟାଲରେ ପହଞ୍ଚୁଛନ୍ତି ସେ କଥା ବି ଜାଣୁଛେ । ହେଲେ ପରିସ୍ଥିତି ସୁଧୁରିବା ତ ଦୁରର କଥା ପ୍ରତିଦିନ ନୂଆ ନୂଆ ସମସ୍ୟା ସାମ୍ନାକୁ ଆସୁଛି ।

ଏମିତି ଏକ ସମସ୍ୟା ଏବେ ପୁଣି ପଦାରେ ପଡିଛି । କୋରାପୁଟ ଜିଲ୍ଲା କଥା କଥା ଚିନ୍ତା କଲେ ଏଠାରେ ଅନେକ ଗ୍ରାମକୁ ଏବେ ବି ଭଲ ରାସ୍ତାଟିଏ ନାହିଁ । ଏପରିକି ଅନେକ ଗାଁ ଶ୍ମଶାନକୁ ଯିବା ଆସିବା ପାଇଁ କିଛି ସୁବିଧା ନାହିଁ । ଯାହାଫଳରେ ଗ୍ରାମର କାହାରି ମୃତ୍ୟୁ ଘଟିଲେ ଏଠାକାର ଅଧିବାସୀ ମାନେ ଶବ ସତ୍କାର ପାଇଁ ଭାରି ହଇହାଣ ହରକତ ହୋଇଥାନ୍ତି । ବହୁ କଠିନ ପରିସ୍ଥିତିରେ ଶବକୁ ଶ୍ମଶାନ ନେଇଯାଇଥାନ୍ତି ଗାଁ ଲୋକେ। ଶବକୁ ବୋହି ନଦୀପାର କରି ଶ୍ମଶାନକୁ ନେବାକୁ ପଡିଥାଏ ।

ଅଲଗା ଦିନ କଥା ଟିକେ ଚଳିବ ହେଲେ ବର୍ଷା ଦିନେ ଏମାନଙ୍କୁ ନାକେଦମ୍ ହେବାକୁ ପଡେ । ଦେଖୁନାହିଁନ୍ତି କେମିତି ପ୍ରବଳ ବର୍ଷା ହେବା ଯୋଗୁ ଶବକୁ ବୋହି ନଦୀପାର କରି ଶ୍ମଶାନକୁ ନେବାକୁ ପଡୁଛି ଏମାନଙ୍କୁ । ବର୍ଷା ଦିନର ଅବସ୍ଥା ଅଧିକ ସଙ୍ଗିନ ହୋଇ ପଡୁଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀପୁର ବ୍ଲକ ଭିତର ଗଡ ପଂଚାୟତର ଚାରଡା ଗ୍ରାମରେ ।

ଶ୍ମଶାନ ଓ ଚାରଡା ଗ୍ରାମ ମଧ୍ୟ ଦେଇ ନଦୀ ପ୍ରବାହିତ ହେଉଛି । ଗତକାଲି ଚାରଡା ଗ୍ରାମର ଜଣେ ଲୋକର ମୃତ୍ୟୁ ଘଟିଥିଲା । ଶବକୁ ଶ୍ମଶାନକୁ ନେଉଥିବା ବେଳେ ଉପରମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ନଦୀରେ ହଠାତ ପ୍ରବଳ ପାଣି ଆସିଥିଲା । ଏହି ସମୟରେ ଗ୍ରାମଲୋକ ହାତକୁ ହାତ ଧରି ନଦୀ ମଧ୍ୟରେ ଠିଆ ହୋଇ ଶବକୁ ପାରି କରିଥିଲେ । ନଦୀ ଉପରେ ସ୍ଥାୟୀ ପୋଲ ଟିଏ ର୍ନିମାଣ କରାଯାଇନଥିବା ଯୋଗୁଁ ବର୍ଷା ଦିନେ ଏଭଳି ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳୁଛି । ଯାହାର ଭିଜୁଅଆଲ୍ ଏବେ ଭାଇରାଲ୍ ହେଉଛି ।

ସୂଚନା ମୁତାବକ, ଏହି ଗ୍ରାମରେ ପ୍ରାୟ ୪୦୦ ପରିବାର ବସବାସ କରୁଥିବାବେଳେ ବର୍ଷା ଦିନେ ଗମନାଗମନ ବାଧାପ୍ରାପ୍ତ ହେଉଛି । ପାହାଡିଆ ,ଅସମତଳ ଅଂଚଳ ହୋଇଥିବାରୁ ବର୍ଷାଦିନେ ପାହାଡ଼ ଉପରୁ ବର୍ଷା ଜଳ ଆସି ନଦୀ ଓ ନାଳ ଗୁଡିକରେ ସ୍ୱଳ୍ପ ସମୟ ମଧ୍ୟରେ ଜଳ ସ୍ତର ବୃଦ୍ଧି ପାଇଥାଏ । ଜଳ ପ୍ରଖର ବେଗରେ ନିମ୍ନ ଭାଗକୁ ପ୍ରବାହିତ ହୋଇଥାଏ । ଏହି ସମୟରେ ଗ୍ରାମର କାହାରି ମୃତ୍ୟ ଘଟିଲେ ପୋଲ ନଥିବା ଗ୍ରାମ ଗୁଡିକରେ ଏଭଳି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ । ରାସ୍ତା ସଂଯୋଗୀକରଣର ସୁବ୍ୟବସ୍ଥା କରାଯାଇପାରିଲେ ଲୋକଙ୍କ ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇପାଇନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.