ପୁଣି ଟ୍ରିବ୍ୟୁନାଲରେ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲା। ଫେବୃଆରୀ ୧ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି। ଏହାପୂର୍ବରୁ ଦୁଇ ରାଜ୍ୟର ପ୍ରତିନିଧି ଦଳ ପୁଣି ଥରେ ପ୍ରକଳ୍ପ ସଂପର୍କରେ ଅନୁଧ୍ୟାନ କରିବେ। ଜାନୁଆରି ୪ତାରିଖରେ ଛତିଶଗଡ଼ର ପ୍ରତିନିଧି ଓଡ଼ିଶା ଆସି ପ୍ରକଳ୍ପ ଅନୁଧ୍ୟାନ କରିବେ। ସେହିପରି ଜାନୁଆରି ୧୬ ତାରିଖରେ ଓଡ଼ିଶା ପ୍ରତିନିଧି ଦଳ ଛତିଶଗଡ଼ ଗସ୍ତ କରିବେ। ଏଥିରେ କେନ୍ଦ୍ରକୁ ପକ୍ଷଭୂକ୍ତ କରିବାକୁ ଟ୍ରିବ୍ୟୁନାଲଙ୍କ ଦୃଷ୍ଟି ଆକର୍ଷଣ କରିଛି ଛତିଶଗଡ଼।
ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟ ମହାନଦୀ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ଆଜି ଏନେଇ ଟ୍ରିବ୍ୟୁନାଲଙ୍କ ତିନିଜଣିଆ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଦୁଇ ରାଜ୍ୟ ପ୍ରକଳ୍ପ ଅଞ୍ଚଳଗୁଡ଼ିକୁ ଗସ୍ତ କରି ଅନୁଧ୍ୟାନ କରିସାରିଛନ୍ତି। ପ୍ରଥମେ ଅକ୍ଟୋବର ୨୯ରୁ ନଭେମ୍ବର ୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଛତିଶଗଡ଼ରେ ଥିବା ମହାନଦୀ ସଂପର୍କିତ ପ୍ରକଳ୍ପଗୁଡ଼ିକୁ ଫେରିବା ପରେ ଛତିଶଗଡ଼ ଦ୍ୱାରା ନଭେମ୍ବର ଦ୍ୱିତୀୟ ସପ୍ତାହରେ ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ମହାନଦୀ ଅଞ୍ଚଳର ପ୍ରକଳ୍ପଗୁଡ଼ିକୁ ଅନୁଧ୍ୟାନ କରିଥିଲେ।
ଏନେଇ ଆଜି ଟ୍ରିବ୍ୟୁନାଲରେ ଉଭୟ ରାଜ୍ୟ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଅବଗତ କରିବା ସହ ଆଗକୁ ଆଉ ପ୍ରକଳ୍ପ ଅନୁଧ୍ୟାନ ଆବଶ୍ୟକତା ନେଇ ଟ୍ରିବ୍ୟୁନାଲଙ୍କ ମତ ନିଆଯିବ। ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ କ୍ଷେତ୍ର ପରିଦର୍ଶନ କରିବା ପରେ ଦୁଇ ରାଜ୍ୟକୁ ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଏହାକୁ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।