ମମିତା ମେହେର ହତ୍ୟାକାଣ୍ଡ ମାମଲା: ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ

କଟକ(କେନ୍ୟୁଜ୍): ମମିତା ମେହେରଙ୍କ ହତ୍ୟାକାଣ୍ଡ ମାମଲାର ଜାମିନ ପାଇଁ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ। ମମିତା ମେହେର ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଗୋବିନ୍ଦ ସାହୁ। ଗତ ଡିସେମ୍ବର ୨୧ ତାରିଖରେ କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ ଗୋବିନ୍ଦ ସାହୁଙ୍କ ଜାମିନ ଖାରଜ କରିବା ପରେ ସେ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।ପୂର୍ବରୁ ଅକ୍ଟୋବର ୨୦ ତାରିଖରେ ବଙ୍ଗୋମୁଣ୍ଡା ଜେଏମଏଫସି ଗୋବିନ୍ଦ ସାହୁଙ୍କ ଜାମିନ ଖାରଜ କରିବା ପରେ ସେ ଜାମିନ ପାଇଁ କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ।
ବଲାଙ୍ଗୀର ଜିଲା ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ମହାଲିଙ୍ଗ ପବ୍ଲିକ ସ୍କୁଲରେ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲେ। ଅକ୍ଟୋବର ୮ ତାରିଖରେ ସେ ଘରୁ ବସ ଯୋଗେ ସ୍କୁଲ ଅଭିମୁଖେ ବାହାରି ଥିଲେ। ଚାନ୍ଦତାରା ଛକରେ ବସରୁ ଓହ୍ଲାଇ ସ୍କୁଲର ସଭାପତି ଗୋବିନ୍ଦ ସାହୁଙ୍କ କାରରେ ଯାଇଥିଲେ। ଏହାପରେ ନିଖୋଜ ହୋଇଯାଇଥିଲେ ମମିତା। ଅକ୍ଟୋବର ୧୩ ରେ ସିନ୍ଧେକେଲା ଥାନାରେ ମମିତାଙ୍କ ପରିବାର ନିଖୋଜ ନେଇ ଅଭିଯୋଗ କରିଥିଲେ। ଅକ୍ଟୋବର ୧୪ ରେ ଗୋବିନ୍ଦ ସାହୁକୁ ପୋଲିସ ଅଟକ ରଖିଥିବା ବେଳେ ଅକ୍ଟୋବର ୧୭ ରାତିରେ ସେ ପୋଲିସ କବଜାରୁ ଫେରାର ହୋଇଯାଇଥିଲା।
ଅକ୍ଟୋବର ୧୯ ରେ ମହାଲିଙ୍ଗ ଷ୍ଟାଡିୟମ ପରିସରରୁ ପୋଡା ଯାଇଥିବା ମୃତଦେହ ମାଟି ତଳୁ ଉଦ୍ଧାର ହୋଇଥିଲା। ଅକ୍ଟୋବର ୧୯ ରେ ନିକଟସ୍ଥ ଏକ ଗାଁରୁ ଆଖୁ କିଆରୀ ଭିତରୁ ଗୋବିନ୍ଦ ସାହୁକୁ ଗିରଫ କରିଥିଲା ପୋଲିସ। ହତ୍ୟାକାଣ୍ଡରେ ସହଯୋଗ କରିଥିବା ଗାଡି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀକୁ ମଧ୍ୟ ଗିରଫ କରିଥିଲା ପୋଲିସ। ଏହି ଘଟଣାରେ ୧୦ ଜଣ ସାକ୍ଷୀଙ୍କର ସିଆରପିସିର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ସିଆରପିସିର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି।