Below header

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରତିବାଦ କଲା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ

ମୋହନା(କେନ୍ୟୁଜ୍):  ସରକାର ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ସମସ୍ତ ନିୟମକୁ ଫାଙ୍କି ଚାଲିଛନ୍ତି କତୃପକ୍ଷ l ବର୍ତ୍ତମାନ ନାନା ସମସ୍ୟା ଦେଇ ଗତିକରୁଛି ସ୍ୱାସ୍ଥ୍ୟ କେନ୍ଦ୍ର। ମୁଖ୍ୟତଃ  ସ୍ୱାସ୍ଥ୍ୟକେନ୍ଦ୍ର ପରିବେଶ ସମ୍ପୂର୍ଣ ଭାବେ ଖରାପ ଥିବାବେଳେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ ଫଳରେ ଦୂରଦୁରନ୍ତରୁ ଆସୁଥିବା ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ବୁଧବାର ଜଣେ ରୋଗୀଙ୍କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲା ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ କିନ୍ତୁ ସେହିସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ସରବରାହ ବନ୍ଦ ଥିଲା l ବିଦ୍ୟୁତ ସଂଯୋଗ କାଟିଗଲେ ବିଦ୍ୟୁତ ଯୋଗାଣ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଜେନେରେଟରର ବ୍ୟବସ୍ଥା ଅଛି କିନ୍ତୁ ତାହା ସମ୍ପୂର୍ଣ ଅଚଳ। ଫଳରେ ଅନ୍ଧାରରେ ଚାଲୁଛି ରୋଗୀ ଚିକିତ୍ସା  l ୩୦ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ୧୨ ରୁ ୧୫ ଟି ରୋଗୀଶଯ୍ୟା ହିଁ ଉପଲବ୍ଧ।

ଅନ୍ୟ ପଟେ ସ୍ୱାସ୍ଥ୍ୟକେନ୍ଦ୍ର ନିମନ୍ତେ ୫ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେ ଳେ ଅଛନ୍ତି କେବଳ ୩ ଜଣ ଡାକ୍ତର। ସେମାନଙ୍କ ମଧ୍ୟରୁ ଡାକ୍ତର ଅମୃତରାଜ ଜେନାଙ୍କ ବ୍ୟତୀତ ଅନ୍ୟ କୌଣସି ଡାକ୍ତରଙ୍କ ପ୍ରାୟତଃ ଦେଖାମିଳୁନି। ଭାରପ୍ରାପ୍ତ ଅଧିକାରୀ ନମିତା ପଣ୍ଡାଙ୍କ କୌଣସି ନିର୍ଦ୍ଦେଶ କର୍ମଚାରୀମାନେ ପାଳନ ନକରି ମନମୁତାବକ କାର୍ଯ୍ୟ କରୁଛନ୍ତି l ଫଳରେ କେନ୍ଦ୍ର ପରିଚାଳନାରେ ବହୁ ସମସ୍ୟା ଉପୁଜୁଛି l ୧୦ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି ହସ୍ପିଟାଲର ନୂତନ କୋଠା କିନ୍ତୁ ଏହା  ଭୂତକୋଠି ପାଲଟିଛି l କିଛି କୋଠା କର୍ମଚାରୀଙ୍କ ବାସଗୃହ ପାଲଟିଥିବା ବେଳେ ଅନ୍ୟ କିଛି କୋଠା ଷ୍ଟୋରରୁମ ପାଲଟିଗଲାଣି l

ଏ ସମସ୍ତ ସମସ୍ୟା ନେଇ ଯୁବକ ସଂଘ ପକ୍ଷରୁ ପ୍ରତିବାଦ କରିବା ସହ ଗୁରୁବାର ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରାଯାଇଥିଲା ସେହିସମୟରେ ନୂତନ କୋଠାରେ ମଦ ବୋତଲ ପଡ଼ିଥିବା ଦେଖିବାପାଇଁ ମିଳିଥିଲା l ନୂତନ କୋଠରୀକୁ ବ୍ୟବହାର ନକରି କର୍ମଚାରୀମାନେ ସେଠାରେ ବିଳାସମୟ ଜୀବନ ଯାପନ କରିବା ସହ ମଦ ମାଂସର ପସରା ମେଲିଥିବା ଯୁବକ ସଂଘ ଅଭିଯୋଗ କରିଛି l ଅତିଶୀଘ୍ର ସମସ୍ୟା ଗୁଡିକର ସମାଧାନ ସହ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ବ୍ୟବସ୍ଥା ଠିକ କରିବା ପାଇଁ ଯୁବକ ସଂଘ ଏବଂ ଅଞ୍ଚଳବାସୀ ଦାବିକରିଛନ୍ତି l ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରୁ ଅତିଶୀଘ୍ର ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜଣାଇ ସମସ୍ୟା ସମାଧାନ କରାଯିବ ଏବଂ ମେଡିକାଲରେ ମଦ ବୋତଲ କେଉଁଠୁ ଆସିଲା ତାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.