ବୁର୍ଲା ଭିମସାରରେ HIV ସଂକ୍ରମିତ ରୋଗୀ ଅପରେସନ ପ୍ରସଙ୍ଗ, ଆଜିଠାରୁ ତଦନ୍ତ ଆରମ୍ଭ କରିବେ ୫ ଜଣିଆ ଟିମ୍‌

କେନ୍ଯୁଜ୍: ବୁର୍ଲା ଭିମସାର ମେଡିକାଲର ଦନ୍ତ ବିଭାଗରେ ଜଣେ HIV ସଂକ୍ରମିତ ରୋଗୀଙ୍କ ଅପରେସନ କରାଯିବା ଘଟଣାରେ ଆଜିଠୁ ଆରମ୍ଭ ହେବ ତଦନ୍ତ। ୫ ଜଣିଆ ଟିମ୍‌ ଏହାର ତଦନ୍ତ କରିବେ। ଏହି ଟିମ୍‌ର ମୁଖ୍ୟ ଅଛନ୍ତି ଯକ୍ଷ୍ମା ବିଭାଗର ମୁଖ୍ୟ ପ୍ରଭାତୀ ଦତ୍ତ। ଅପରେସନ ପାଇଁ ଉଦ୍ଦିଷ୍ଟ ନିୟମର ପାଳନ ହୋଇଛି ନା ନାହିଁ? ଅସ୍ତ୍ରୋପଚାରରେ ବ୍ୟବହୃତ ଉପକରଣକୁ କିଏ ଷ୍ଟେରିଲାଇଜ କରିବା କଥା? ଷ୍ଟେରିଲାଇଜ୍‌ ହୋଇଥିଲା କି ନାହିଁ? ଏସବୁକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବୁର୍ଲା ବଡ଼ ମେଡିକାଲ କଲେଜର ଅଧ୍ୟକ୍ଷ । ଅଭିଯୋଗ ଅନୁଯାୟୀ ବୁର୍ଲା ମେଡିକାଲର ଦନ୍ତ ବିଭାଗରେ ଜଣେ HIV ସଂକ୍ରମିତ ରୋଗୀଙ୍କ ଅପରେସନ କରାଯାଇଥିଲା। ଏହାପରେ ସଂକ୍ରମିତ ରୋଗୀଙ୍କ ଅପରେସନ ଉପକରଣରେ ଅନ୍ୟ ରୋଗୀଙ୍କ ମଧ୍ୟ ଅସ୍ତ୍ରୋପଚାର କରାଯାଇଥିଲା। ନିୟମ ଅନୁସାରେ ସଂପୃକ୍ତ ରୋଗୀଙ୍କ ଅପରେସନ ସେହିଦିନର ଶେଷ ଅପରେସନ କିମ୍ବା କେବଳ ଶନିବାର ହେବା କଥା। ଅପରେସନ ନେଇ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅନୁମତି ଓ ଅପରେସନ ପରେ ସେହି ରୁମକୁ ମଧ୍ୟ ବନ୍ଦ କରିବା ମଧ୍ୟ ନିୟମ ରହିଛି। ହେଲେ ସମସ୍ତ ନିୟମକୁ ବେଖାତିର କରି ଦନ୍ତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପ୍ରଶାନ୍ତ ସ୍ୱାଇଁ ରୋଗୀର ଅପରେସନ କରିଥିବା ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.