Below header

ବୋଫର୍ସରେ ଚୀନ ଯନ୍ତ୍ରାଂଶ ବ୍ୟବହାର ମାମଲା : ଓଡ଼ିଆ ଅଧିକାରୀ ଶାରଦା ଖଟୁଆଙ୍କୁ ଅପହରଣ ପରେ ହତ୍ୟା

ଜଗତସିଂହପୁର (.କେନ୍ଯୁଜ୍) : ବହୁଚର୍ଚ୍ଚିତ ବୋଫର୍ସ କମାଣରେ ଚୀନ ଯନ୍ତ୍ରାଂଶ ବ୍ୟବହାର ସଂପର୍କିତ ମାମଲାରେ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବା ଓଡ଼ିଆ ଅଧିକାରୀଙ୍କୁ ହତ୍ୟା । ଜବଲପୁର ଗନ କ୍ୟାରେଜ ଫ୍ୟାକ୍ଟ୍ରି-ଜିସିଏଫରେ ଜୁନିଅର ୱାର୍କସ ମ୍ୟାନେଜର ଭାବେ କାର୍ଯ୍ୟରତ ଶାରଦା ଚରଣ ଖଟୁଆଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଶାରଦାଙ୍କ ଘର ଜଗତସିଂହପୁର ଜିଲ୍ଲା ଅଳସୁଆ ପଞ୍ଚାୟତର କୋକିଳପୁର ଗାଁରେ । ବୋଫର୍ସ କମାଣରେ ଚୀନ ନିର୍ମିତ ଯନ୍ତ୍ରାଂଶ ବ୍ୟବହାର ନେଇ ଶାରଦାଙ୍କ ନିକଟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିଲା । ଏହି ସ୍କାମରେ ସଂପୃକ୍ତ ଅଧିକାରୀମାନଙ୍କ ମୁଖା ଖୋଲିଯିବାର ସମ୍ଭାବନା ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ କହିଛନ୍ତି ।

ବୋଫର୍ସ କମାଣରେ ଜର୍ମାନ ବ୍ୟରିଙ୍ଗ ପରିବର୍ତ୍ତେ ଚୀନ ନିର୍ମିତ ବ୍ୟରିଙ୍ଗ ବ୍ୟବହାର କରାଯାଉଥିବା ଜଣାପଡ଼ିବା ପରେ ଗତ ୨୦୧୭ ମସିହା ଜୁନରେ ସିବିଆଇ ଦିଲ୍ଲୀ ସ୍ଥିତ ଏକ କଂପାନୀ ଓ ଜବଲପୁର ଗନ କ୍ୟାରେଜ ଫ୍ୟାକ୍ଟ୍ରିର କିଛି ଅଜଣା ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଗତ ଜାନୁଆରି ୧୦ରେ ଶାରଦା ଖଟୁଆଙ୍କ ବାସଭବନ ଓ ଅଫିସରେ ଚଢ଼ାଉ କରିଥିଲା ସିବିଆଇ । ତାଙ୍କୁ ପଚରାଉଚୁରା କରିଥିଲେ ସିବିଆଇ ଅଧିକାରୀ । ଏଥିସହ ଶାରଦାଙ୍କ ମୋବାଇଲ ଫୋନ ଓ କଂପ୍ୟୁଟର ହାର୍ଡଡିସ୍କକୁ ଜବତ କରାଯାଇଥିଲା । ତାଙ୍କୁ ଜାନୁଆରି ୧୭ରେ ହାଜିର ହେବାକୁ କୁହାଯାଇଥିଲା । ହେଲେ ସେ ଜାନୁଆରୀ ୨୧ରେ ହାଜର ହେବେ ବୋଲି ସିବିଆଇକୁ ଜଣାଇଥିଲେ । ଏଥିପାଇଁ କାଗଜପତ୍ର ପ୍ରସ୍ତୁତିରେ ଲାଗିଥିଲେ ।

ଗତ ୧୭ ତାରିଖ ଦିନ ଏ ବାବଦରେ ଓକିଲଙ୍କ ପରାମର୍ଶ କରି ଫେରିବା ବେଳେ ଶାରଦାଙ୍କୁ ଅପହରଣ କରିନିଆଯାଇଥିଲା । ଫେବୃଆରୀ ୫ରେ ସେ ରହୁଥିବା କଲୋନୀର ୨ କିଲୋମିଟର ଦୂର ପାଣିଟାଙ୍କିରୁ ଶାରଦାଙ୍କ ସ୍କୁଟି ଓ ନିକଟସ୍ଥ ନର୍ଦ୍ଦମାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ପ୍ରଥମେ ଏହାକୁ ଏକ ଆତ୍ମହତ୍ୟା ମାମଲା କହୁଥିଲା । ହେଲେ ପୋଷ୍ଟମର୍ଟମ ରିପୋର୍ଟରୁ ଶାରଦାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ଘଟଣା ନୂଆ ମୋଡ଼ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.