ନୂତନ ଓଡ଼ିଶାର ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଚମ ପାଳି ସରକାରକୁ ଆଜି ପୂରିଛି ଦୁଇ ବର୍ଷ

କେନ୍ୟୁଜ୍(ବ୍ୟୁରୋ):  ୨୦୧୯, ମେ ୨୯ । ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ । ପଞ୍ଚମ ପାଳି ସରକାରକୁ ପୂରିଛି ଦୁଇ ବର୍ଷ । ବାତ୍ୟା ଓ କୋଭିଡ୍‌ ମୁକାବିଲା ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହୋଇଛି । ଦୁଇ ବର୍ଷରେ ଆସିଛି ତିନିଟି ବାତ୍ୟା । ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ବେଳେ ବାତ୍ୟା ଫନିର ସାମନା କରିଥିଲା ଓଡ଼ିଶା । ୨୦୨୦ରେ ଅମ୍ଫନ ଓ ଏବର୍ଷ ୟସ୍‌ । ମୁକାବିଲାରେ ନବୀନଙ୍କ ମନ୍ତ୍ର ଥିଲା ଜିରୋ କାଜୁଆଲିଟି । ସଫଳତାର ସହ ମୁକାବିଲା କରିଛନ୍ତି ସରକାର । କ୍ଷୟକ୍ଷତି ହୋଇଛି । କିନ୍ତୁ ପ୍ରାକ୍‌ ମୁକାବିଲା ଓ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁ ଜୀବନହାନୀକୁ ରୋକା ଯାଇ ପାରିଛି । ଭିତ୍ତିଭୂମିକୁ ସଜାଡ଼ିଛନ୍ତି ସରକାର । ଏବେ ବାତ୍ୟା ମୁକାବିଲାରେ ଓଡ଼ିଶା ମଡେଲ୍‌ ପାଲଟିଛି । କୋଭିଡ୍‌ ସମୟରେ କେନ୍ଦ୍ରକୁ ତୁରନ୍ତ କ୍ଷୟକ୍ଷତି ସହାୟତା ନମାଗି ସାରା ଦେଶକୁ ଭିନ୍ନ ବାର୍ତ୍ତା ଦେଇଛନ୍ତି ନବୀନ ।

ସେହିପରି ନବୀନ ସରକାରଙ୍କ ପଞ୍ଚମ ପାଳିର ଦ୍ୱିତୀୟ ବର୍ଷରେ ମହାମାରୀ ଆଣିଛି ମହାବିପତ୍ତି । ଜୀବନ ଓ ଜୀବିକା ଉପରେ କରୋନା ପ୍ରହାର ପକାଇଥିବା ବେଳେ ରାଜ୍ୟବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ସରକାର । ସ୍ୱଳ୍ପ ସମୟ ଭିତରେ ସବୁ ଜିଲ୍ଲାରେ ଖୋଲିଛି ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ । କୋଭିଡ୍‌ କେୟାର୍‌ ସେଣ୍ଟର ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବି ଖୋଲିଛନ୍ତି ସରକାର । ତୃଣମୂଳ ସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ଜିଲ୍ଲାପାଳ କ୍ଷମତା । ରାଜ୍ୟବାସୀଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଟିକାକରଣ ଆଗକୁ ବଡ଼ ଚ୍ୟାଲେଞ୍ଜ ରହିବ । ସେହିପରି ସାରା ଦେଶ ପାଇଁ ଏବେ ଅକ୍ସିଜେନ୍‌ ହବ୍‌ ପାଲଟିଛି ଓଡ଼ିଶା । କରୋନା କାଳରେ ଅକ୍ସିଜେନ୍‌ ସଂକଟକୁ ନେଇ ଯେତେବେଳେ ଦେଶରେ ହାହାକାର ପରିସ୍ଥିତି ସେତେବେଳେ ଆଗକୁ ଆସିଥିଲା ଓଡ଼ିଶା । ବିଭିନ୍ନ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୨୩ହଜାର ଟନ୍‌ ମେଡିକାଲ୍‌ ଅକ୍ସିଜେନ୍‌ ଯୋଗାଇଛି ।

ତୃତୀୟ ବର୍ଷରେ କରୋନା ମୁକାବିଲା ସରକାରଙ୍କ ଆଗରେ ବଡ଼ ଆହ୍ଵାନ ରହିବ । ବଡ଼ ଚ୍ୟାଲେଞ୍ଜ ହେବ ସମସ୍ତଙ୍କୁ ମାଗଣା ଟିକକାରଣ । କୋଭିଡ୍‌ ପରବର୍ତ୍ତୀ ଅର୍ଥନୀତିକୁ ସୁଧାରିବା ଆଉ ଏକ ଚ୍ୟାଲେଞ୍ଜ । ସେହିପରି ବାତ୍ୟା ମୁକାବିଲା କ୍ଷେତ୍ରରେ ଦୀର୍ଘ ମିଆଦ ବ୍ୟବସ୍ଥା ଯୋଜନା କରୁଛି ଓଡ଼ିଶା । ସହଯୋଗ ପାଇଁ କେନ୍ଦ୍ରକୁ କୁହାଯାଇଛି । ଏଦିଗରେ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିବ । ପଞ୍ଚମ ପାଳିରେ ପୁରୀକୁ ଐତିହ୍ୟ ସହର କରି ଗଢ଼ି ତୋଳିବାକୁ କାମ ହାତକୁ ନେଇଛନ୍ତି ସରକାର । ଏକାମ୍ର କ୍ଷେତ୍ର ସହ ରାଜ୍ୟର ବିଭିନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । କଟକ ଏସସିବିକୁ ଏମ୍ସ ପ୍ଲସ କରିବା ଦିଗରେ ଯୋଜନା କାର୍ଯ୍ୟକାରୀ ହୋଇଛି । ସେସବୁକୁ ସମ୍ପୂର୍ଣ୍ଣ କରିବା ସବୁଠୁ ବଡ଼ ଆହ୍ଵାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.