Below header

ଲାଠିପଡ଼ା ପଞ୍ଚାୟତବାସୀ ସମସ୍ତଙ୍କୁ ଦେଖାଇଛନ୍ତି ଏକ ନୂତନ ଦିଗଦର୍ଶନ

ଗଞ୍ଜାମ(କେନ୍ୟୁଜ୍): ବର୍ତ୍ତମାନର କ୍ଷମତା ଲୋଭର ଯୁଗରେ ନିର୍ବାଚନ ଜରିଆରେ ପଦ ହାତେଇବାକୁ ସମସ୍ତେ ଲାଗି ପଡ଼ିଛନ୍ତି । ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଦଳୀୟ ପ୍ରାର୍ଥୀ ଏବଂ ସ୍ୱାଧୀନ ଭାବେ ଲଢ଼େଇ କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ତା ଭିତରେ କିନ୍ତୁ ସମସ୍ତଙ୍କ ଊର୍ଦ୍ଧ୍ୱକୁ ଯାଇ ଏମିତି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଲଠିପଡ଼ା ପଞ୍ଚାୟତର ଲୋକେ । ଆଉ ରାଜ୍ୟରେ ଏକ ବଡ଼ ଉଦାହରଣ ସୃଷ୍ଟି କରିଛ ନିର୍ବାଚନକୁ ନେଇ । ଏଠାରେ ସମସ୍ତ ପଦବିରେ ବିନା ପ୍ରତିଦ୍ୱନ୍ଦ୍ୱତାରେ ନିର୍ବାଚିତ ହୋଇଛନ୍ତି ଲୋକଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀ ।

ନିର୍ବାଚନ ପ୍ରଚାର ହୋହଲ୍ଲାରେ କମ୍ପୁଛି ଗାଁ ଗହଳି । ଦଳୀୟ ନେତା ଓ କର୍ମୀଙ୍କ ଭିଡ଼ ସାଙ୍ଗକୁ ଭୋଟର ବି ଉତ୍ସାହିତ ପ୍ରାର୍ଥୀ ବାଛିବାକୁ । ନିଜକୁ ଜିତାଇବା ପାଇଁ ପ୍ରାର୍ଥୀମାନେ କିଛିବି କରିବାକୁ ପଛାଉ ନାହାନ୍ତି । କେଉଁଠାରେ କ୍ଷମତା ପାଇଁ ଭାଇ ଭାଇ ତ କେଉଁଠି ସ୍ୱାମୀ ସ୍ତ୍ରୀ ତ ଆଉ କେଉଁଠି ଭାଇ ଭଉଣୀ ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ବହି ଯାଉଛି ନିର୍ବାଚନରେ । ସେ ସରକାରଙ୍କ ପ୍ରକ୍ରିୟା ହେଉ ଅବା ପ୍ରାର୍ଥୀଙ୍କ ପ୍ରଚାର, ସବୁଥିରେ ଚାଲିଛି ଟଙ୍କା ଖର୍ଚ୍ଚ । କିନ୍ତୁ ଏଥିରୁ ଦୂରେଇ ରହିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ର ଲାଠିପଡା ପଞ୍ଚାୟତ । ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକ ଚମତ୍କାର ଉଦାହରଣ ସୃଷ୍ଟି କରିଛି ଏହି ପଞ୍ଚାୟତ। ଅଞ୍ଚଳର ବିକାଶ ପାଇଁ ପଞ୍ଚାୟତବାସୀ ଦଳକୁ ପଛରେ ପକାଇ ବ୍ୟକ୍ତିତ୍ୱକୁ ଗୁରୁତ୍ୱ ଦେଇଛନ୍ତି । ଏଠି ନିର୍ବାଚନ ନକରି ମନୋନୟନ କରିଛନ୍ତି । ଅର୍ଥାତ୍‌ ଇଲେକସନ୍‌ ନକରି ସିଲେକସନ୍‌ କରିଛନ୍ତି । ଯାହାଫଳରେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୯ ଗୋଟି ୱାର୍ଡ ମେମ୍ବରଙ୍କୁ ନିଦ୍ଦ୍ଵର୍ନ୍ଦ୍ୱରେ ନିର୍ବାଚିତ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ୨୬ଟି ପଞ୍ଚାୟତକୁ ନେଇ ଗଠିତ । ବର୍ତ୍ତମାନ ଏସବୁ ପଞ୍ଚାୟତରେ ନିର୍ବାଚନୀ ହାଓ୍ଵା ଖୁବ୍‌ ଜୋର ଧରିଛି । ଭୋଟରଙ୍କ ସମର୍ଥନ ପାଇ ବାଜି ମାରିବାକୁ ନେତା ଠାରୁ ଆରମ୍ଭ କରି ପ୍ରାର୍ଥୀମାନେ ବିଭିନ୍ନ ରଣ କୌଶଳ ଆପଣାଇଛନ୍ତି। ଏପଟେ ଲାଠିପଡା ପଞ୍ଚାୟତଟି କିନ୍ତୁ ବେଶ୍‌ ଶାନ୍ତ ରହିଛି । ଏହି ପଞ୍ଚାୟତ ଛୋଟ ବଡ ୨୭ ଖଣ୍ଡ ଗାଁକୁ ନେଇ ଗଠିତ । ଜନସଂଖ୍ୟା ୬୫୦୦ ହୋଇଥିବା ବେଳେ ସେଥିରୁ ଭୋଟରଙ୍କ ସଂଖ୍ୟା ୪୫୫୯ । ଏଠି ମହିଳା ଭୋଟରଙ୍କ ସଂଖ୍ୟା ୨୧୩୮ ଏବଂ ପୁରୁଷ ଭୋଟର ଅଛନ୍ତି ୨୪୨୧ ଜଣ । ମୋଟ ୧୨ଟି ୱାର୍ଡ ରହିଛି। ତେବେ ୯ଟି ଓ୍ଵାର୍ଡ଼ରେ ପ୍ରାର୍ଥୀମାନେ ନିଦ୍ଦ୍ଵର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୩ଟି ଓ୍ଵାର୍ଡ଼ ସଂରକ୍ଷିତ ରହିଛି । ହେଲେ ସେଠାରେ ପ୍ରାର୍ଥୀ ନଥିବାରୁ ନିର୍ବାଚନ ହେଉନାହିଁ ।
ପୂର୍ବରୁ ସବୁବେଳେ ଚର୍ଚ୍ଚାରେ ରହିଥାଏ ଲାଠିପଡା ପଞ୍ଚାୟତ । କାରଣ ଅଧିକାଂଶ ସମୟରେ ଏଠାରେ ବିଭିନ୍ନ କାରଣରୁ ବିବାଦୀୟ ପରିସ୍ଥିତି ଉପୁଜୁଥିଲା । ରାଜନୈତିକ ଦଳ ଭିତରେ ଲାଗିତ ରହୁଥିଲା ଗଣ୍ଡଗୋଳ । ଏସବୁ ଭିତରେ କିନ୍ତୁ ପଞ୍ଚାୟତର ମୌଳିକ ସମସ୍ୟା ସବୁ ଦୂର ହୋଇ ପାରୁନଥିଲା । ସେ ଜଳ ସମସ୍ୟା ହେଉ କି ରାସ୍ତା ସମସ୍ୟା, ସବୁ କିଛି ରହି ଯାଉଥିଲା ରାଜନୀତି ଭିତରେ। ବର୍ତ୍ତମାନ ମଧ୍ୟ କିଛି ଗାଁରେ ବିଜିଳି ନାହିଁ କି ମୋବାଇଲ ନେଟୱର୍କ ମଧ୍ୟ ନାହିଁ । ତେଣୁ କରି ଚଳିତ ପଞ୍ଚାୟତ ନିର୍ବାଚନରେ ସମସ୍ତ ଦଳ ନେତା ଓ କର୍ମୀ ଏବଂ ଗ୍ରାମବାସୀ ମିଳିତ ଭାବେ ବୈଠକ କରିଥିଲେ । ଏହି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଢ଼ି ତୋଳିବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ । ଆଉ ତାପରେ ସ୍ଥିର ହୋଇଥିଲା କି ଏଠି ଇଲେକସନ୍‌ ନୁହେଁ ଆମେ ଭଲ ଲୋକ ଦେଖି ସିଲେକସନ୍‌ କରିବୁ । ଯିଏ ପଞ୍ଚାୟତର ଉନ୍ନତି ପାଇଁ କାମ କରିବେ ।

ଲାଠିପଡା ପଞ୍ଚାୟତବାସୀ ସମସ୍ତଙ୍କୁ ଦେଖାଇଛନ୍ତି ଏକ ନୂତନ ଦିଗଦର୍ଶନ । ଏଥିରେ ନା ରହିବ ନିର୍ବାଚନୀ ହୋହଲ୍ଲା, ନା ରହିବ ରାଜନୈତିକ ଛକାପଂଝା କି ବିବାଦ । ପୁଣି ପ୍ରାର୍ଥୀଙ୍କ ଖଚର୍ଚ୍ଚ ବି ବଞ୍ଚିବ । ଭଲ ପ୍ରାର୍ଥୀ ଚୟନ ପରେ ସମସ୍ତଙ୍କ ସହଯୋଗରେ ପଞ୍ଚାୟତରେ ହେବ ବିକାଶ କାର୍ଯ୍ୟ । ନିର୍ବାଚନ ସମୟରେ ରାଜନୈତିକ ହିଂସାକୁ ବର୍ଜନ କରି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ରୂପେ ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏଠାକାର ଲୋକେ । ଯାହାଫଳରେ ଲାଠିପଡା ପଞ୍ଚାୟତ ସାରା ରାଜ୍ୟରେ ସୁନାମ ଅର୍ଜନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.