Below header

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା ନୂଆପଡ଼ା ଜିଲ୍ଲା: ୧ ଲକ୍ଷ ୭୩ ହଜାର ଲୋକ ପାଇବେ କାର୍ଡର ସୁବିଧା

କେନ୍ୟୁଜ୍(ବ୍ୟୁରୋ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେଲା ନୂଆପଡ଼ା ଜିଲ୍ଲା । ଜିଲ୍ଲାର ୧ ଲକ୍ଷ ୭୩ ହଜାର ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା । ନୂଆପଡା ସହିତ ରାଜ୍ୟର ୧୦ଟି ଜିଲ୍ଲା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପ୍ରାୟ ୪୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ନୂଆପଡା ଓ କୋମନାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ ଉଦଘାଟିତ ହୋଇଛି । ଏହା ଦ୍ୱାରା ଜିଲ୍ଲାର ୮୦ ପ୍ରତିଶତ ଲୋକ ଭଲ ପିଇବା ପାଣି ପିଇପାରିବେ ବୋଲି ନବୀନ କହିଛନ୍ତି ।

ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୪ଲକ୍ଷ ୩ହଜାର ୫୯୮ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଭବାନୀପାଟଣା କୃଷି ମହାବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜିଲ୍ଲାରେ ୮୫୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନର କରିଛନ୍ତି ନବୀନ। ନବୀନଙ୍କ ଗସ୍ତ ପାଇଁ ଭବାନୀପାଟଣାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ଯୋଜନା ଅଧିକ ସ୍ମାର୍ଟ ହେବା ସହ ଆସିବ ନୂଆ ମାନଦଣ୍ଡ। ବର୍ତ୍ତମାନ ସମସ୍ତ ବିଜୁ କୃଷକ କଲ୍ୟାଣ କାର୍ଡଧାରୀ, ଅନ୍ତୋଦେୟଅନ୍ନ ଯୋଜନା କାର୍ଡଧାରୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀ ଥିଲେ। ଉପକୃତ ହେଉଥିଲେ ୭୧ ଲକ୍ଷ ୬୯ ହଜାର ୬୭୨ ପରିବାର। ନୂଆମାଦଣ୍ଡରେ ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଦିଆଯିବ BSKY ସ୍ମାର୍ଟ ହେଲ୍ଥ କାର୍ଡ। ଫଳରେ ଅଧିକ ୨୦ ଲକ୍ଷ ୮୦ ହଜାର ୩୨୮ ହିତାଧିକାରୀ ଉପକୃତ ହେବେ। ଅର୍ଥାତ ପ୍ରାୟ ୯୨ ଲକ୍ଷ ୫୦ ହଜାର ପରିବାରଙ୍କୁ ମିଳିବ ଏହି ସ୍ମାର୍ଟ କାର୍ଡ ସୁବିଧା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.