ନର୍ସ ନିହାରିକା ମର୍ଡ଼ର କେସ୍‌ : କାଲି ସରିବ ରାଜାର ରିମାଣ୍ଡ ଅବଧି, ପୋଲିସ୍‌ ଯୋଗାଡ଼ କରୁଛି ଠୋସ୍‌ ପ୍ରମାଣ

କଟକ/ପିପିଲି (କେ ନ୍ୟୁଜ୍‌) : ନର୍ସ ନିହାରିକା ହତ୍ୟାକାଣ୍ଡର ଜୋରସୋରରେ ଚାଲିଛି ପୋଲିସ୍‌ ତଦନ୍ତ । ଆସନ୍ତାକାଲି ସରିବ ଅଭିଯୁକ୍ତ ରାଜା ଓରଫ କିଶୋର ଆଞ୍ଚଳର ରିମାଣ୍ଡ ଅବଧି । ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ? କେମିତି ମାରିଲା ଓ କିଭଳି ମୃତଦେହକୁ ନେଇ ନଦୀରେ ଫିଙ୍ଗିଲେ ସେବାବଦରେ ଖୋଳତାଡ ଜାରି ରହିଛି। ଆଜି ଜଗତସିଂହପୁର ଏସ୍‌ପି. ଆର ପ୍ରକାଶ, ଡିଏସ୍‌ପି ପ୍ରକାଶ ପାଲ୍‌ ଏକ ସାଇଣ୍ଟିଫିକ୍‌ ଟିମ୍‌ ସହ ଆସି ନିହାରିକାଙ୍କୁ ହତ୍ୟା କରାଯାଇଥିବା ଚାଉଳିଆଗଞ୍ଜ ଭଡ଼ା ଘରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ମାମଲାରେ ସହାୟକ ହେଲା ଭଳି ପ୍ରମାଣ ଖୋଜିଥିଲେ । ଏହି ଘରଟି ଥିଲା ରାଜାର ସାଙ୍ଗ ସୁନୀଲ ସାହୁର । ପରେ ନିହାରିକା କାମ କରୁଥିବା ନର୍ସିଂହୋମ୍‌କୁ ଯାଇ ସେଠାକାର ଷ୍ଟାଫ୍‌ ଓ ତାଙ୍କର ରୁମକମେଟ୍‌ଙ୍କୁ ପଚରା ଉଚରା କରିଥିଲା ।

NIHARIKA-3

ସେପଟେ ଆଜି ଦିନ ବେଳା ନିହାରିକା ପାତ୍ରଙ୍କ ଭିଙ୍ଗାରପୁର ଘରେ ପହଞ୍ଚି ତଦନ୍ତ କରିଛନ୍ତି ଜଗତସିଂହପୁର ଏସପି। ନିହାରିକାଙ୍କ ବାପା, ଭାଇ, ମାଆ ଓ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି। ରିମାଣ୍ଡ ଅବଧି ସରିବା ପରେ ରାଜା କାଲି ସନ୍ଧ୍ୟା ସାଢ଼େ ୫ଟା ବେଳେ କୋର୍ଟରେ ହାଜର ହେବ ।
ତେବେ ପୋଲିସ୍‌ ସ୍ପଷ୍ଟ କରିନଥିଲେ ମଧ୍ୟ କିଛି କଥା ବାହାରେ ଚର୍ଚ୍ଚା ଚାଲିଛି । ରାଜା ପୋଲିସ୍‌କୁ କହିଛି ଯେ ପ୍ରକୃତରେ ମୁଁ ନିହାରିକାକୁ ପ୍ରେମ କରୁଥିଲି । ତାକୁ ମାରିବାକୁ ଚାହୁଁନଥିଲି । ତେବେ କିଛି ସନ୍ଦେହ ହେବାରୁ ତାକୁ ରାସ୍ତାରୁ ହଟାଇବାକୁ ଚିନ୍ତା କଲି ବୋଲି ରାଜା ପୋଲିସ୍‌କୁ କହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

NIHARIKA-2

ନିହାରିକାକୁ ହତ୍ୟା କରିବା ପାଇଁ ରାଜା କାହିଁକି ସୁନୀଲର ଘରକୁ ବାଛିଲା ? ନିହାରିକା ସହିତ ତାର ଶାରୀରିକ ସମ୍ପର୍କ ଥିଲା କି ? କଣ ପାଇଁ ସେ ତାକୁ ହତ୍ୟା କଲା ? ହତ୍ୟାକାଣ୍ଡରେ ସେ କାହାର ସହଯୋଗ ନେଇଥିଲା ? ଏସବୁ ବିଷୟରେ ପୋଲିସ୍‌ ଅଧିକ ତଦନ୍ତ ଚଳାଇଛି ।