Below header

ଜାରକା ଷ୍ଟାଡିୟମ ପରିଦର୍ଶନ କଲେ ଓସିଏର ବୈଷୟିକ ଟିମ୍‌, ପଡିଆ ସହ ଭିତିଭୂମିକୁ ଦେଖି ଉତ୍ସାହିତ ଆଗାମୀ ଦିନରେ ଓସିଏ ସହାୟତାରେ ଏଠାରେ ଖେଳାଯିବ ରଣଜୀ ମ୍ୟାଚ୍

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଜାରକାଠାରେ ଥିବା କଳ୍ପତରୁ ଦାସ ଷ୍ଟାଡିୟମରେ ଓଡିଶା କ୍ରିକେଟ ଆସୋସିଏସନର ବୈଷୟିକ ଟିମ୍ । ଆଜି ଷ୍ଟାଡିୟମରେ ଥିବା ଖେଳ ପଡିଆ ଓ ଭିତିଭୂମିର ଅନୁଧ୍ୟାନ କରିଛନ୍ତି ଟିମର ସଦସ୍ୟମାନେ । ପ୍ରଥମେ ଗ୍ରାଉଣ୍ଡକୁ ବୁଲି ଦେଖିବା ସହ ପିଚ୍‌ର ନୀରିକ୍ଷଣ କରିଥିଲେ । ଏଥିସହ ଭିତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ ମଧ୍ୟ କରିଥିଲେ ।

ଧର୍ମଶାଳା ଭଳି ଗ୍ରାମାଂଚଳରେ ଏଭଳି ଉନ୍ନତମାନର ଷ୍ଟାଡିୟମ ପ୍ରସ୍ତୁତ ଥିବା ଦେଖି କମିଟିର ସଦସ୍ୟମାନେ ବେଶ୍ ଉତ୍ସାହିତ ହୋଇଥିଲେ । ଷ୍ଟାଡିୟମ ପରିଦର୍ଶନ ସମୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସାମିଲ ହୋଇ ସମସ୍ତ ବ୍ୟବସ୍ଥା ସଂପର୍କରେ ଓସିଏ ବୈଷୟିକ ଟିମର ଦୃଷ୍ଟି ଆକର୍ଷଣ କରିଥିଲେ । ଆବଶ୍ୟକ ସ୍ଥଳେ ଓସିଏ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବା ସହ ଏଠାରେ ରଣଜୀ ମ୍ୟାଚ୍ ଖେଳାଯିବ ବୋଲି ଟିମ ପକ୍ଷରୁ ସବୁଜ ସଂକେତ ମିଳିଛି । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

 ପାଖାପଖି ୧୫ବର୍ଷ ତଳେ ଜାରକାଠାରେ ଏକ ଷ୍ଟାଡିୟମର ପରିକଳ୍ପନା କରାଯାଇଥିଲା । ତତ୍କାଳୀନ ବିଧାୟକ କଳ୍ପତରୁ ଦାସଙ୍କ ଉଦ୍ୟମ କ୍ରମେ ଏବଂ ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ସହଯୋଗରେ ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପର୍ଯ୍ୟାୟକ୍ରମେ ଖେଳପଡିଆ ଠାରୁ ଆରମ୍ଭ କରି ଏଠାରେ ପାଚେରୀ, ଦର୍ଶକକଙ୍କ ଗ୍ୟାଲେରୀ, ଅଫିସିଆଲ ରୁମ୍‌, ରାସ୍ତା ନିର୍ମାଣ ସହ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସମସ୍ତ କାର୍ଯ୍ୟ ହାତକୁ ନିଆଯାଇଛି । ଗ୍ରାମାଂଚଳରେ ଥିବା କ୍ରୀଡା ପ୍ରତିଭାମାନଙ୍କୁ ଏଠାରେ ଖେଳିବାର ସୁଯୋଗ ମିଳିଛି ।

ପୂର୍ବରୁ ଏହି ଷ୍ଟାଡିୟମରେ ଯାଜପୁର ଜିଲ୍ଲାର ବିଭିନ୍ନ କ୍ଲବ ପାଇଁ ଖେଳୁଥିବା ୧୬ବର୍ଷରୁ କମ୍ ଖେଳାଳୀଙ୍କ ଚୟନ ପକ୍ରୀୟା ମଧ୍ୟ ଏଠାରୁ ହୋଇସାରିଛି । ଆଜି ଏହି ପରିଦର୍ଶନ ସମୟରେ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ସମେତ ଓସିଏ ବୈଷୟିକ କମିଟିର ଅଧ୍ୟକ୍ଷ ଧିରେନ ପଲେଇ, ସଦସ୍ୟ ଦେବାଶିଷ ପାଢୀ, ଶୁଭାଶିଷ ସେନାପତି, ସନ୍ତୋଷ ଦାସ, ସଂଯୋଜକ ଡାନିଏଲ ରାଉତ, କ୍ୟୁରେଟର ହୃଷିକେଶ ସିଂ, ଯାଜପୁର ଜିଲ୍ଲା କ୍ରିକେଟ ଆସୋସିଏସନ ସାଧାରଣ ସଂପାଦକ ଜ୍ଞାନଚାନ୍ଦ ଦାସ, ଧର୍ମଶାଳା ସ୍ପୋର୍ଟ୍ସ କାଉନସିଲ ସଭାପତି ଆଲୋକ କୁମାର କର, ସଂପାଦକ ରଶ୍ମିରଂଜନ ରାୟଙ୍କ ସମେତ ବହୁ କ୍ରୀଡାବିତ୍ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.