ବେଆଇନ୍‌ ମଦ କାରବାରକୁ ବିରୋଧ କରିବାରୁ ଅତ୍ୟାଚାର, ଘରଦ୍ୱାର ଛାଡି ବାରଦୁଆର ହେଉଛନ୍ତି ୪ ପରିବାର

ଗାଁ ଭିତରେ ମଦ ମାଫିଆଙ୍କ ଜୁଲମ । ଅତ୍ୟାଚାର ଏତେ ହେଲା ଯେ ଘରଦ୍ୱାର ଓ ଗାଁ ଛାଡ଼ି ଦେଲେ ଚାରିଟି ପରିବାର। ଏବେ ଏମାନେ ବାରଦୁଆର ହେଉଛନ୍ତି । ବେଆଇନ୍‌ ମଦ କାରବାରକୁ ବିରୋଧ କରିବାରୁ ଏମାନଙ୍କର ଏ ଦଶା ହୋଇଛି । ଗାଁର ୪ଟି ପରିବାର ଉପରେ ଖୁବ୍‌ ଅତ୍ୟାଚାର କରୁଛନ୍ତି ମାଫିଆମାନେ । ସେମାନଙ୍କ କଥା ନମାନିଲେ ମାଡ଼ ମାରିବାକୁ ବି ପଛାଉ ନାହାନ୍ତି । ଏମିତି ଗର୍ଭବତୀ ସ୍ତ୍ରୀ, ପିଲା ଛୁଆ କିଛି ମାନୁ ନାହାନ୍ତି ଏମାନେ । ଘରର ଜିନିଷପତ୍ର ବି ଲୁଟି ନେଇ ଯାଇଛନ୍ତି । ସେମାନଙ୍କର ଦୋଷ ଯେ ଏହି ମଦ ମାଫିଆମାନଙ୍କ ଚୋରା ଦେଶୀ ମଦ କାରବାରକୁ ବିରୋଧ କରିଥିଲେ । ବାସ ସେଇଠୁ ଆରମ୍ଭ ହୋଇଯାଇଥିଲା ନିର୍ଯାତନା ଓ ଧମକ । ଏମିତି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ପଡାଙ୍ଗ ଗାଁରେ । ପଡାଙ୍ଗ ଗାଁ’ର ମଦମାଫିଆଙ୍କୁ ବିରୋଧ କରିବାରୁ ୪ ପରିବାର ଉପରେ ବାରମ୍ବାର ଆକ୍ରମଣ ଓ ଅତ୍ୟାଚାର ହୋଇଆସୁଥିଲା ଯଉଁଥି[ପାଇଁ ଶେଷରେ ସେମାନେ ନିଜ ଭିଟାମାଟି ଛାଡି ଏଣେତେଣେ ଲୁଚି ବୁଲୁଛନ୍ତି ।

ଯମୁନାଙ୍କ କହିବା ଅନୁଯାୟୀ ତାଙ୍କ ବେକରେ ଭୁଜାଲି ଲଗାଇ ପୁଅକୁ ମାଡ ମାରିବା ସହ ତାଙ୍କ ସ୍ୱାମୀଙ୍କୁ ଜଙ୍ଗଲକୁ ନେଇ ମାରି ଦେବାର ଉଦ୍ୟମ କରାଯାଇଥିଲା । ଗତ ସେପ୍ଟେମ୍ବର ମାସ ୫ ତାରିଖରେ ଏନେଇ ତେଲକୋଇ ଥାନାରେ ୪ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା । ତେବେ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠା କଲା ନାହିଁ । ବରଂ ଥାନାରେ କାହିଁକି ଅଭିଯୋଗ କରାଗଲା ବୋଲି ମାଫିଆମାନେ ଗୁଣ୍ଡା ଲଗାଇ ଦାଉ ସାଧିଲେ । ଘରର ଆସବାବପତ୍ର ସହ ସାଇକେଲ ଓ ୧୦ଟି ଛେଳି ଜୋର ଜବରଦସ୍ତ ନେଇ ଗଲେ । ଘରର ଜଣେ ଗର୍ଭବତୀ ମହିଳାଙ୍କୁ ବି ମାଡ଼ ମାରିଥିଲେ ।

ଏତିକିରେ ସରିନଥିଲା ସେମାନଙ୍କର ଦୌରାତ୍ମ୍ୟ । ‘ଗାଁ ରୁ ପଳାଇ ଯାଅ ନହେଲେ ଶୋଇଥିବା ବେଳେ ଘରେ ନିଆଁ ଲଗାଇ ସମସ୍ତଙ୍କୁ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ । ୪ ଗରିବ ଦିନ ମଜୁରିଆ ପରିବାରର ସମସ୍ତ ସଦସ୍ୟ ରାତାରାତି ଜୀବନ ଭୟରେ ଘରଛାଡି ପଳେଇ ଯାଇଥିଲେ । ଏବେ ଶୀତ ଦିନରେ ପିଲାଛୁଆଙ୍କୁ ଧରି ବୁଲୁଛନ୍ତି । କେତେବେଳେ ଗଛମୂଳରେ ତ ଆଉ କେତେବେଳେ କାହା ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ନିର୍ଯାତନାର ଶିକାର ହୋଇ ଘରଛାଡି ତିନି ମାସ ହେବ ଗାଁ କୁ ଗାଁ ବୁଲୁଛନ୍ତି ଏମାନେ । ତେବେ ଘଟଣାର ଠିକଣା ତଦନ୍ତ ହେଲେ ଜଣାପଡ଼ିବ ସେଠାରେ କଣ ଚାଲିଛି । ଏପଟେ ଏହି ପୀଡ଼ିତ ପରିବାରଙ୍କୁ ଉଚିତ ନ୍ୟାୟ ଦେଇ ମଦ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.