ଆନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ ଓଡ଼ିଆ ଛାତ୍ରୀ, ଓଡ଼ିଶାରୁ ଏକାକୀ ଶୁଭସ୍ମିତାଙ୍କ ନାଁ ହୋଇଛି ସୁପାରିଶ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ଅଷ୍ଟମ ଶ୍ରେଣୀର ଛାତ୍ରୀ। ସାନ ସିନା, କିନ୍ତୁ ଚିନ୍ତାଧାରା ବଡ଼ ଲୋକଙ୍କ ପରି। ବାଣ୍ଟୁଛନ୍ତି ଶିଶୁ ଅଧିକାରର ବାର୍ତ୍ତା।  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଭସ୍ମିତା ତ୍ରିପାଠୀ। ଆନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ଦୌଡ଼ରେ ସେ ସାମିଲ ହୋଇଛନ୍ତି। ନେଦରଲ୍ୟାଣ୍ଡର କିଡ୍ସ ଫର୍ ରାଇଟ୍ସ ଅର୍ଗାନାଇଜେସନ୍ ପକ୍ଷରୁ ଏହି ପୁରସ୍କାର ପାଇଁ ତାଙ୍କ ନାଁ ସୁପାରିଶ ହୋଇଛି। ଏଥିପାଇଁ ସାରା ବିଶ୍ୱରେ ୧୩୭ ଜଣ ଶିଶୁ ସାମିଲ ହୋଇଥିବା ବେଳେ ଭାରତରୁ ଅଛନ୍ତି ୧୦ ଜଣ।

ଓଡ଼ିଶାରୁ ଏକାକୀ ଶୁଭସ୍ମିତାଙ୍କ ନାଁ ସୁପାରିଶ ହୋଇଛି। ଏହି ଖବର ମିଳିବା ପରେ ପୂରା କେନ୍ଦ୍ରାପଡ଼ା ଜିଲ୍ଲାରେ ଖୁସିର ଲହରି। ନିଜେ ପାଠ ପଢ଼ି ଆଗକୁ ବଢ଼ିବା ସହ ଅନ୍ୟମାନଙ୍କୁ ଏଦିଗରେ ପ୍ରେରଣା ଓ ଉତ୍ସାହିତ କରୁଛନ୍ତି ଶୁଭସ୍ମିତା। ଗାଁ ଗାଁ ବୁଲି ଲୋକଙ୍କୁ ଶିଶୁ ଅଧିକାର ସମ୍ପର୍କରେ ସଚେତନ କରୁଛନ୍ତି। ଏଥିପାଇଁ ତାଙ୍କୁ ବେଳେବେଳେ ଅନେକ ଟାହି ଟାପରା ବି ଶୁଣିବାକୁ ପଡ଼ିଛି। କିନ୍ତୁ ହାରି ନାହାନ୍ତି ଶୁଭସ୍ମିତା। ତାଙ୍କର ଏହି ମହତ ପ୍ରୟାସ ଯୋଗୁ ୨ବର୍ଷରେ ୧୨ରୁ ଅଧିକ ପିଲା ସ୍କୁଲ ହତା ମାଡ଼ି ପାରିଛନ୍ତି। ଆସନ୍ତା ୩୦ ତାରିଖରେ ପୁରସ୍କାର ଘୋଷଣା କରାଯିବ।