ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏଫସିଆଇ ନେଉନି ଉଷୁନା ଚାଉଳ

ଭୁବନେଶ୍ୱର(କେନ୍ୟୁଜ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଉଷୁନା ଚାଉଳ ଏଫସିଆଇ କିଣିବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ଉଲ୍ଲେଖ କରିଛନ୍ତି, ୨୪ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫସିଆଇ ନେଉନି । ଏଥିରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ନିୟମ ବାଧା ସୃଷ୍ଟି କରୁଛି ।

ଯାହାକି ୧୦ ଲକ୍ଷ ଚାଷୀଙ୍କ ରୋଜଗାରକୁ ପ୍ରଭାବିତ କରିବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଆସନ୍ତା ଖରିଫ ଋତୁରୁ ଅତିରିକ୍ତ ଉଷୁନା ଚାଉଳ ଓଡ଼ିଶାଠାରୁ ସଂଗ୍ରହ କରିବ ନାହିଁ ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆ (FCI) । ଏନେଇ ଗତ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୧-୨୨ ଖରିଫ ଋତୁରେ ଓଡ଼ିଶା ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ସେଥିରୁ ଓଡ଼ିଶାର ଆବଶ୍ୟକ ରହିଛି ୨୪ ଲକ୍ଷ ମେଟ୍ରିକ ଟନ୍ । ଏହାପରେ ସରକାରଙ୍କ ପାଖରେ ୨୮ ଲକ୍ଷ ମେଟ୍ରିକ ଟନ୍ ବଳକା ରହିବ । ସେଥିରୁ ୪ ଲକ୍ଷ ମେଟ୍ରିକ ଟନ୍ ଅରୁଆ ଚାଉଳ ।

ଅର୍ଥାତ ଏଫ୍ସିଆଇ ନେବା ପାଇଁ ଓଡ଼ିଶା ପାଖରେ ୨୪ ଲକ୍ଷ ମେଟ୍ରିକ ଟନ୍ ବଳକା ଉଷୁନା ଚାଉଳ ରହିବ । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ବଳକା ଚାଉଳ ଉଠାଣ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାରେ ଲୋକେ ମୁଖ୍ୟତଃ ଉଷୁନା ଚାଉଳ ଖାଆନ୍ତି ।

ତେଣୁ ଓଡ଼ିଶାର ରାଇସ ମିଲଗୁଡିକ ଉଷୁନା ଚାଉଳ ପ୍ରସ୍ତୁତ କରନ୍ତି । ଏବେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ନିଷ୍ପତ୍ତି ଯୋଗୁଁ ଯେଉଁ ସ୍ଥିତି ସୃଷ୍ଟି ହେବ ତାକୁ ସମ୍ମୁଖୀନ କରିବାକୁ ରାଜ୍ୟ ପ୍ରସ୍ତୁତ ନାହିଁ । ବଳକା ଚାଉଳ ଉଠାଣ ନ ହେଲେ ରାଜ୍ୟର ଧାନ ସଂଗ୍ରହକୁ ବହୁଳ ଭାବେ ପ୍ରଭାବିତ କରିବ ।

ପ୍ରଭାବିତ ହେବେ ପ୍ରାୟ ୧୦ ଲକ୍ଷ ଚାଷୀ। କୋଭିଡ୍ ଭଳି କଠିନ ସମୟରେ ସେମାନଙ୍କ ଅସୁବିଧା ବହୁ ପରିମାଣରେ ବଢିଯିବ। ତେଣୁ ବଳକା ଉଷୁନା ଚାଉଳକୁ ସଂଗ୍ରହ ପାଇଁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.