ତାଣ୍ଡବ ରଚିଲା ବାତ୍ୟା ରେମାଲ: ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ

 ତାଣ୍ଡବ ରଚିଲା ବାତ୍ୟା ରେମାଲ । ଏହାର ପ୍ରଭାବରେ ଓଡିଶାର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଚାନ୍ଦବାଲି, ପାରାଦ୍ବୀପ, କଟକ, ଭୁବନେଶ୍ୱର, ପୁରୀ, ବାରିପଦା, କୋରାପୁଟ, ନୟାଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ତାଣ୍ଡବ ରଚିଲା ବାତ୍ୟା ରେମାଲ । ଏହାର ପ୍ରଭାବରେ ଓଡିଶାର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଚାନ୍ଦବାଲି, ପାରାଦ୍ୱୀପ, କଟକ, ଭୁବନେଶ୍ୱର, ପୁରୀ, ବାରିପଦା, କୋରାପୁଟ, ନୟାଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନବରଙ୍ଗପୁର ଓ କେନ୍ଦ୍ରାପଡାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ଗତ ରାତିରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପବନ ବି ଜାରି ରହିଥିଲା ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସି ବାତ୍ୟା ପ୍ରଭାବିତ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନ‌ିର୍ଦ୍ଦେଶ ଦେଇଥିଲେ । ପାଖାପାଖି ୨୦ ହଜାର ଡଙ୍ଗା ସମୁଦ୍ର ଭିତରକୁ କୂଳକୁ ଫେରି ଆସିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରେମାଲର ପ୍ରଭାବ ଓଡ଼ିଶା ଉପରେ ପଡୁ ନ ଥିଲେ ମଧ୍ୟ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହୋଇଛି ।

ତେବେ ଆସନ୍ତା ୪୮ ଘଣ୍ଟା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢିବା ସମ୍ଭାବନା ରହିଛି । ଗତକାଲି ନୂଆପଡାରେ ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ୪୮ ଘଣ୍ଟା ପରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢିବା ସମ୍ଭାବନା ରହିଛି ।

ତେବେ ସୂଚନା ମୁତାବକ, ଗତକାଲି ରାତି ୧୧ଟାରେ ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହୋଇଛି ବାତ୍ୟା । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁଥିଲା । ରେମାଲ ସ୍ଥଳଭାଗ ଛୁଇଁବା ବେଳେ ପ୍ରବଳ ବର୍ଷା ସହ ପବନ ହୋଇଥିଲା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୫ କିଲୋମିଟ ଥିଲା । ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।

ରେମାଲର ଲ୍ୟାଣ୍ଡଫାଲ ଯୋଗୁଁ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଏହା ସହ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ଅରୁଣାଚଳପ୍ରଦେଶରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ଆଇଏଡି ପକ୍ଷରୁ ସତର୍କତା ଜାରି କରାଯାଇଛି । ପଶ୍ଚିମବଙ୍ଗରେ ୧ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସୁନ୍ଦରବନ ଓ ସାଗର ଦ୍ବୀପରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

cyclone

ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଏବଂ ଏନଟିଆରଏଫର ୧୬ଟି ଲେଖାଏଁ ବାଟାଲିଅନ ମୁତୟନ କରାଯାଇଛି । ରେମାଲ ପ୍ରଭାବକୁ ଦୃଷ୍ଟିରେ ରଖି କୋଲକାତାରୁ ବିମାନ ଚଳାଚଳକୁ ରଦ୍ଦ କରାଯାଇଛି । ଆଜି ସକାଳ ୯ଟା ପର୍ଯ୍ୟନ୍ତ କୋଲକାତା ବିମାନବନ୍ଦରୁ ବିମାନ ଚଳାଚଳକୁ ବାତିଲ କରାଯାଇଛି । ପଶ୍ଚିମବଙ୍ଗରେ ୬ଟି ଟ୍ରେନର ଚଳାଚଳ ବାତିଲ କରିଛି ଦକ୍ଷିଣ-ପୂର୍ବ ରେଳବାଇ ।

ଆଜି ଓ କାଲି ପାଇଁ ଏହି ଟ୍ରେନ ଚଳାଚଳ ରଦ୍ଦ କରାଯାଇଛି । ବାଂଲାଦେଶରେ ଉପକୂଳବର୍ତ୍ତୀ ଅଞ୍ଚଳରୁ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ପ୍ରବଳ ବର୍ଷା ପବନ ଯୋଗୁ ମୋଙ୍ଗଲା ପୋର୍ଟରେ ଏକ ବୋଟ ବୁଡ଼ି ଯାଇଛି । ୫୦ ଯାତ୍ରୀଙ୍କୁ ନେଇ ଆସୁଥିଲା ବୋଟ୍ । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ବାତ୍ୟା ରେମାଲ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୨ରୁ ୩ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ରେମାଲ ଭୀଷଣ ବାତ୍ୟାର ରୂପ ନେବା ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁଥିଲା ।

 

 

Leave A Reply

Your email address will not be published.