କନ୍ଧମାଳ: ସ୍କୁଲ କାନ୍ଥ ପଡ଼ି ଜଣେ ଛାତ୍ରୀ ମୃତ୍ୟୁ, ଦୁଇ ଛାତ୍ରୀ ଗୁରୁତର

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ବେଲକଟି ଗ୍ରାମରେ ଅଭାବନୀୟ ଘଟଣା । ସ୍କୁଲ କାନ୍ଥ ପଡ଼ି ଜଣେ ସ୍କୁଲ ଛାତ୍ରୀର  ମୃତ୍ୟୁ ହୋଇଛି ଓ ଦୁଇଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗାଁରେ ମଶାରୀ ବଣ୍ଟନ ହେଉଥିବା ବେଳେ ପରିବାର ବର୍ଗ  ସାଙ୍ଗରେ ପିଲା ମାନଙ୍କୁ ନେଇ ଯାଇଥିଲେ। ମଶାରୀ ପାଇଁ ଲୋକମାନେ ଲାଇନରେ ଛିଡ଼ା ହୋଇଥିବା ବେଳେ ପିଲା ମାନେ ସ୍କୁଲ ଫାଟକ ଭିତରେ ଖେଳୁଥିଲେ। ଏତିକି ବେଳେ ପିଲାମାନଙ୍କ ଉପରେ ସ୍କୁଲର କାନ୍ଥ ପଡ଼ିଯାଇଥିଲା । ଯାହା ଫଳରେ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇପଡିଛନ୍ତି।

ମୃତ ଛାତ୍ରୀ ଜଣକ ସଂଜୀବ ପ୍ରଧାନଙ୍କ ୮ବର୍ଷର ଝିଅ ରିଶିକା ପ୍ରଧାନ ବୋଲି ଜଣା ପଡିଛି। ଗୁରୁତରମାନଙ୍କୁ ପ୍ରଥମେ ଜି.ଉଦୟଗିରି ମେଡିକାଲରେ ଚିକିତ୍ସା କରାଯାଇଥିଲା। କିନ୍ତୁ ସେଠାରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।